ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ଅନକାପଲ୍ଲୀ ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍ରେ ଥିବା ‘ଏସାଇଣ୍ଟିଆ’ ଫାର୍ମା କମ୍ପାନିରେ ପ୍ରଚଣ୍ଡ ବିସ୍ଫୋରଣ ହୋଇ ୧୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୪୦ରୁ ଅଧିକ ଆହତ ହୋଇଛନ୍ତି। ଆଜି ଅପରାହ୍ନ ୨ଟା ସମୟରେ ଏହି ଦୁର୍ଘଟଣା ହୋଇଛି। ଅନକାପଲ୍ଲୀ ଏସ୍ପି ଦୀପିକା ପାଟିଲ କହିଛନ୍ତି ଯେ ବିସ୍ଫୋରଣ ପରେ ଘଟଣାସ୍ଥଳରୁ ପ୍ରବଳ ଧୂଆଁ ବାହାରୁଛି ଏବଂ ଉଦ୍ଧାର ଅପରେସନ୍ ଜାରି ରହିଛି।
ରିଆକ୍ଟର ନିକଟରେ ଏହି ବିସ୍ଫୋରଣ ହୋଇଛି ଏବଂ ବିସ୍ଫୋରଣର କାରଣ ଏଯାବତ ଜଣାପଡ଼ିନି। ରିଆକ୍ଟର ବିସ୍ଫୋରଣ ହୋଇଥିବା ନେଇ ପ୍ରଥମେ ଖବର ପ୍ରଚାର ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ତାହା ଭୁଲ୍ ବୋଲି ଜଣାପଡ଼ିଥିଲା। ଆହତମାନଙ୍କୁ ଅନକାପଲ୍ଲି ଏନ୍ଟିଆର ହସ୍ପିଟାଲ ଏବଂ ଘରୋଇ ହସ୍ପିଟାଲ ନେଇ ଚିକିତ୍ସା କରାଯାଉଛି। ପୁଲିସ ଏବଂ ଅଗ୍ନିନିର୍ବାପକ ଦଳ ସହ ଘଟଣାସ୍ଥଳରେ ଇମର୍ଜେନ୍ସି ଟିମ୍ ମୁତୟନ ହୋଇଛନ୍ତି। ଏହି କାରଖାନା ଦୁଇଟି ସିଫ୍ଟରେ ୩୮୧ ଜଣ କର୍ମଚାରୀଙ୍କୁ ନେଇ ଚାଲିଛି ଏବଂ ମଧ୍ୟାହ୍ନ ଭୋଜନ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ତେଣୁ କର୍ମଚାରୀଙ୍କ ଉପସ୍ଥିତି କମ୍ ଥିଲା ବୋଲି ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏହି ଦୁର୍ଘଟଣା ନେଇ ଗଭୀର ଶୋକ ପ୍ରକାଶ କରିବା ସହ ପୀଡ଼ିତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି।