ତାମିଲନାଡୁ ବାଣ କାରଖାନାରେ ବିସ୍ଫୋରଣ, ୮ ଶ୍ରମିକ ମୃତ

ଶିବକାଶୀ : ତାମିଲନାଡୁର ଶିବକାଶୀରେ ଥିବା ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୫ ଜଣ ମହିଳାଙ୍କ ସମେତ ୮ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହାଛଡ଼ା ଆଉ ୧୨ ଜଣ ଗୁରୁତରଭାବେ ପୋଡ଼ିଯାଇଥିବା ଜଣାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଆହତମାନଙ୍କ ସ୍ଥାନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଏହି ବାଣ କାରଖାନାଟି ଏକ ଲାଇସେନ୍ସଯୁକ୍ତ ବାଣ କାରଖାନା ବୋଲି ତାମିଲନାଡୁ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ମତରେ ପ୍ରଚଣ୍ଡ ବିସ୍ଫୋରଣ ହେବା ପରେ କାରଖାନାର ଆଖପାଖ ଅଂଚଳ ଧୂଆଁମୟ ହୋଇଯାଇଥିଲା । ତେବେ ଏହି ବିସ୍ଫୋରଣର କାରଣ ସଂପର୍କରେ ଏପର୍ଯ୍ୟନ୍ତ କିଛି ଜଣାପଡ଼ିନାହିଁ । ଏ ନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ପୁଲିସ କହିଛି  ।

ବିସ୍ଫୋରଣର ଖବର ମିଳିବା ପରେ ଉକ୍ତ ଅଂଚଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛି । ନିଆଁ ଯେପରି ଆଖପାଖରେ ଥିବା ଅନ୍ୟ ଘର ଓ କାରଖାନାକୁ ନ ବ୍ୟାପେ ତାହା ଉପରେ ଗୁରୁତ୍ବ ଦିଆଯାଉଛି ।

ସୂଚନାଯୋଗ୍ୟ ଯେ ତାମିଲନାଡ଼ୁର ଶିବକାଶୀ ବାଣ ପାଇଁ ସମଗ୍ର ବିଶ୍ବରେ ପ୍ରସିଦ୍ଧ । ଏଠାରୁ ଦେଶବିଦେଶକୁ ବାଣ ରପ୍ତାନି ହୋଇଥାଏ । ବାଣ ଛଡ଼ା ଶିବକାଶୀ ଦିଆସିଲି ଓ କ୍ୟାଲେଣ୍ଡର ପାଇଁ ମଧ୍ୟ ପ୍ରସିଦ୍ଧ ।

ସମ୍ବନ୍ଧିତ ଖବର