ଉଗାଣ୍ଡା : ପ୍ରମୋଦ ଭଗତ ରହୁଥିବା ହୋଟେଲ ନିକଟରେ ବୋମା ବିସ୍ଫୋରଣ, ଭାରତୀୟ ପାରା-ବ୍ୟାଡମିଣ୍ଟନ ଟିମ ସୁରକ୍ଷିତ

ଭୁବନେଶ୍ବର : ଉଗାଣ୍ଡାର ରାଜଧାନୀ କାମ୍ପାଲାରେ ଆଜି ଦୁଇଟି ବୋମା ବିସ୍ଫୋରଣ ହେବାରୁ ୩ ଜଣ ବ୍ୟକ୍ତି ପ୍ରାଣ ହରାଇଛି ଓ ୩୩ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି ବୋଲି ସ୍ଥାନୀୟ ପୁଲିସ କହିଛନ୍ତି । ଏହାକୁ ଏକ ଆତଙ୍କବାଦୀ ଆକ୍ରମଣ ବୋଲି କୁହାଯାଉଛି ।

ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଉଗାଣ୍ଡାରେ ହେବାକୁ ଥିବା ଏକ ଅନ୍ତର୍ଜାତୀୟ ପାରା-ବ୍ୟାଡମିଣ୍ଟନ ପ୍ରତିଯୋଗିତା ଖୋଳିବାକୁ ଭାରତୀୟ ପାରା-ବ୍ୟାଡମିଣ୍ଟନ ଟିମ ସେଠାରେ ଅଛନ୍ତି । ଏହି ଟିମରେ ଓଡ଼ିଆ ଖେଳାଳି ତଥା ଟୋକିଓ ପାରା-ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ପ୍ରମୋଦ ଭଗତ ଅଛନ୍ତି । ଭାରତୀୟ ଟିମ ରହୁଥିବା ହୋଟେଲ ନିକଟରେ ଏହି ବୋମା ବିସ୍ଫୋରଣ ହୋଇଥିବା ଜଣାଯାଇଛି । କିନ୍ତୁ ଭାରତୀୟ ଟିମ ସୁରକ୍ଷିତ ଥିବା ଭାରତୀୟ ପାରା-ବ୍ୟାଡମିଣ୍ଟନ ଟିମ୍ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

 

ଭାରତୀୟ ଟିମରେ ପ୍ରମୋଦଙ୍କ ବ୍ୟତୀତ ମାନସୀ ଜୋଶୀ, ମନୋଜ ସରକାର ଓ କୋଚ ଗୌରବ ଖାନ୍ନା ଅଛନ୍ତି । ସେ ସୁରକ୍ଷିତ ଅଛନ୍ତି ଓ ଚିନ୍ତାର କାରଣ ନାହିଁ । ଏହି ବିସ୍ଫୋରଣ ଟିମର କାର୍ଯ୍ୟସୂଚୀକୁ ପ୍ରଭାବିତ କରିବ ନାହିଁ । ଟୁର୍ଣ୍ଣାମେଣ୍ଟ ନିଜର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସରେ ଚାଲିବ ବୋଲି ପ୍ରମୋଦ ଭଗତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବୁଧବାରଦିନ ପ୍ରମୋଦଙ୍କ ମ୍ୟାଚ ଅଛି ।

 

ସମ୍ବନ୍ଧିତ ଖବର