ଆଫଗାନିସ୍ତାନ ହୋଟେଲରେ ଶକ୍ତିଶାଳୀ ବିସ୍ଫୋରଣ, ୩ ମୃତ ୭ ଆହତ

କାବୁଲ : ଆଫଗାନିସ୍ତାନରେ ଏକ ବଡ଼ ଧରଣର ବିସ୍ଫୋରଣ ଲୋକଙ୍କୁ ସ୍ତବ୍ଧ କରିଦେଇଛି। ଖୋଷ୍ଟ ପ୍ରଦେଶର ଏକ ହୋଟେଲରେ ହୋଇଥିବା ଏହି ବିସ୍ଫୋରଣରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି ବୋଲି ଆଫଗାନିସ୍ତାନର ଟୋଲୋ ନ୍ୟୁଜ୍ ରିପୋର୍ଟ କରିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ବିସ୍ଫୋରଣ ପରେ ତାଲିବାନ କର୍ତ୍ତୃପକ୍ଷ ତଦନ୍ତ ଆରମ୍ଭ କରିଛନ୍ତି। ଏହି ବିସ୍ଫୋରଣ ପାଇଁ କେହି ଏପର୍ଯ୍ୟନ୍ତ ନିଜକୁ ଦାୟୀ କରିନାହାନ୍ତି । ତେବେ ଏହା ପଛରେ ଇସ୍ଲାମିକ୍ ଷ୍ଟେଟ୍ ଥିବା ସଂଦେହ କରାଯାଉଛି ।

ଟୋଲୋ ନ୍ୟୁଜ ରିପୋର୍ଟ ଅନୁସାରେ ଦକ୍ଷିଣ-ପୂର୍ବ ଆଫଗାନିସ୍ତାନର ଖୋଷ୍ଟ ପ୍ରଦେଶରେ ସୋମବାର ଏହି ବିସ୍ଫୋରଣ ଘଟିଛି। ହୋଟେଲରେ ବିସ୍ଫୋରଣ ଘଟି ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଯୋଗୁଁ ଆଖପାଖରେ ଆତଙ୍କ ଖେଳିଯାଇଥିଲା ।

କାବୁଲର ସୁରକ୍ଷା ପରାମର୍ଶଦାତା ଖାଲିଦ୍ ଜଡ୍ରାନଙ୍କ କହିବା ଅନୁସାରେ ବିସ୍ଫୋରଣଟି ଖୋଷ୍ଟ ପ୍ରଦେଶର ରାଜଧାନୀ ଖୋଷ୍ଟରେ ଥିବା ଏକ ହୋଟେଲରେ ହୋଇଥିଲା । ହୋଟେଲଟି ସ୍ପିନ ମସଜିଦ ନିକଟରେ ଅବସ୍ଥିତ । ଏହି ବିସ୍ଫୋରଣରେ କେତେକ ଓ୍ବାଜିରିସ୍ଥାନ ଶରଣାର୍ଥୀ ଆହତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଆଫଗାନିସ୍ତାନର ତାଲିବାନ ପ୍ରଶାସନ ଇସ୍ଲାମିକ୍ ଷ୍ଟେଟ୍ ର ସଦସ୍ୟଙ୍କ ବିରୋଧରେ ଚଢ଼ାଉ ଜାରି ରଖିଛି, ଯିଏ କି ଗତ କିଛି ମାସ ମଧ୍ୟରେ ସହରାଞ୍ଚଳରେ ହୋଇଥିବା ଅନେକ ବଡ଼ ଧରଣର ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି।

ସମ୍ବନ୍ଧିତ ଖବର