ପାକିସ୍ତାନ : ମସଜିଦରେ ବୋମା ବିସ୍ଫୋରଣ, ୫ ମୃତ, ୧୫ ଆହତ

କରାଚୀ : ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶ ଅନ୍ତର୍ଗତ କ୍ୱେଟାଠାରେ ଥିବା ଏକ ମଦ୍ରାସାରେ ଆଜି ଏକ ବୋମା ବିସ୍ଫୋରଣ ହେବାରୁ ଅତି କମରେ ୫ ଜଣ ମୃତ୍ୟୁବରଣ କରିବା ସହ ୧୫ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି । ପାକିସ୍ତାନୀ ଖବରକାଗଜ ଡନରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ କ୍ୱେଟା ସହର ଉପକଣ୍ଠରେ ଥିବା କୁଚଲକ ଅଞ୍ଚଳରେ ଥିବା ଏକ ମଦ୍ରାସା ପ୍ରାଙ୍ଗଣରେ ଥିବା ମସଜିଦରେ ଏହି ବିସ୍ଫୋରଣ ହୋଇଥିଲା । ଇମ୍ପ୍ରୋଭାଇଜଡ଼ ଏକ୍ସପ୍ଲୋସିଭ ଡିଭାଇସ (ଆଇଇଡି) ସହାୟତାରେ ଏହି ବିସ୍ଫୋରଣ କରାଯାଇଥିବା ଜଣାଯାଇଛି । ଆଜି ଶୁକ୍ରବାରଥିବାରୁ ଏହି ମଦ୍ରାସାରେ ପ୍ରାର୍ଥନା ପାଇଁ ଲୋକମାନେ ଏକତ୍ରିତ ହୋଇଥିଲେ । ଆହତ ମାନଙ୍କୁ କ୍ୱେଟାର ବିଭିନ୍ନ ହସପିଟାଲରେ ଭର୍ତ୍ତି କରାଯାଇଛି । ପୁଲିସ ଏହି ଅଂଚଳକୁ ସିଲ୍‌ କରିଦେବା ସହ ତଦନ୍ତ ଆରମ୍ଭ କରିଛି । ପାକିସ୍ତାନୀ ଟିଭି ଚ୍ୟାନେଲ ଦୁନିଆ ନ୍ୟୁଜ ଅନୁସାରେ ପ୍ରାର୍ଥନା ହଲରେ ଥିବା ଏକ ଚୌକିରେ ଏହି ଟାଇମ ବୋମା ଖଞ୍ଜାଯାଇଥିଲା । କୌଣସି ସଂଗଠନ ଏପର୍ଯ୍ୟନ୍ତ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିନାହାନ୍ତି ।

ସମ୍ବନ୍ଧିତ ଖବର