ଦୁବାଇର ଏକ ବନ୍ଦରରେ ବଡଧରଣର ବିସ୍ଫୋରଣ, ବିସ୍ଫୋରଣ ପଛରେ କିଏ ଚାଲିଛି ତଦନ୍ତ

ଦୁବାଇ: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଦୁବାଇର ଜେବେଲ ଅଲି ବନ୍ଦରରେ ଗତକାଲି ବିଳମ୍ବିତ ରାତିରେ ଏକ ବଡଧରଣର ବିସ୍ଫୋରଣ ହୋଇଛି | ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ ଆଖପାଖରେ ରହୁଥିବା ଲୋକ ଭୟରେ ଘରୁ ବାହାରକୁ ଚାଲିଆସିଥିଲେ | ମିଳିଥିବା ସୂଚନା ମୁତାବକ ଜେବେଲ ଅଲି ବନ୍ଦରରେ ରଖାଯାଇଥିବା ଏକ ଜାହାଜରେ ଥିବା କଣ୍ଟେନରରେ ଏହି ବିସ୍ଫୋରଣ ହୋଇଥିଲା | ଦୁବାଇ ମିଡିଆ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇ କୁହାଯାଇଛି ଯେ ଯେ ଜେବଲ ଅଲି ବନ୍ଦରରେ ଥିବା ଏକ କଣ୍ଟେନରରେ ନିଆଁ ଲାଗିଯାଇ ଏଥିରେ ବିସ୍ଫୋରଣ ହୋଇଥିଲା ।

ଦୁବାଇ ସିଭିଲ୍ ଡିଫେନ୍ସ ଟିମ୍ ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛି । ଗତକାଲି ରାତିରେ କଣ୍ଟେନରରେ ବିସ୍ଫୋରଣର ଶବ୍ଦ ଦୁବାଇର ମାରିନା ଅଞ୍ଚଳରେ ରହୁଥିବା ପ୍ରାୟ ସମସ୍ତ ଲୋକ ଶୁଣିଥିଲେ। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ବିସ୍ଫୋରଣର ଶବ୍ଦ ଯୋଗୁଁ ସେମାନଙ୍କ ଘରର ଝରକା ଓ କବାଟ ଥରିବାକୁ ଲାଗିଥିଲା | ଏହି ଅଞ୍ଚଳରେ ଭୟର ବାତାବରଣ ଜାରି ରହିଛି। କଣ୍ଟେନରରେ ବିସ୍ଫୋରଣ ହେବାର କାରଣ ଏପର୍ଯ୍ୟନ୍ତ ଜଣା ପଡି ନାହିଁ ବୋଲି ପୁଲିସ ଅଧିକାରୀ କହିଛନ୍ତି।

ଏହାର ଯାଞ୍ଚ କରାଯାଉ ଥିବାବେଳେ ଯଦି କେହି ଦୋଷୀ ସାବ୍ୟସ୍ତ ହୁଅନ୍ତି, ତା’ହେଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି | ପୁଲିସ ଅଧିକାରୀ କହିଛନ୍ତି ଯେ ବିସ୍ଫୋରଣର ପ୍ରତ୍ୟେକ ଦିଗ ଉପରେ ଆମେ ଅନୁସନ୍ଧାନ କରୁଛୁ। ଏହି ଘଟଣା ପଛରେ କୌଣସି ଆତଙ୍କବାଦୀ ଗୋଷ୍ଠୀର ହାତ ଅଛି କି ନାହିଁ ତାହା ମଧ୍ୟ ଅନୁସନ୍ଧାନ କରାଯାଉଛି।

ସମ୍ବନ୍ଧିତ ଖବର