ତାମିଲନାଡ଼ୁ : ବାଣ ଗୋଦାମରେ ବିସ୍ଫୋରଣ, ୭ ମୃତ

ଚେନ୍ନାଇ : ତାମିଲନାଡ଼ୁରେ ଆଜି ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି । ରାଜ୍ୟର କୁଡ୍ଡାଲୋର ଜିଲ୍ଲାରେ ଥିବା ଏକ ବାଣ କାରଖାନାର ଗୋଦାମରେ ବିସ୍ଫୋରଣ ହେବାରୁ ୭ ଜଣ ବ୍ୟକ୍ତି ପ୍ରାଣ ହରାଇବା ସହ ତିନିଜଣ ଲୋକ ଆହତ ହୋଇଛନ୍ତି । ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି । ବିସ୍ଫୋରଣର ତୀବ୍ରତା ଏତେ ଭୟଙ୍କର ଥିଲା ଯେ ଏକ କଂକ୍ରିଟ କୋଠା ସଂପୂର୍ଣ୍ଣ ଧ୍ୱଂସ ପାଇଯାଇଛି ।

ମିଳିଥିବା ସୂଚନା ଅନୁସାରେ ତାମିଲନାଡ଼ୁର କୁଡ୍ଡାଲୋର ଜିଲ୍ଲାରେ ଥିବା କଟ୍ଟୁମାନାରକୋଲିଠାରେ ଥିବା ଏହି ବାଣ କାରଖାନାରେ ବାଣ ତିଆରି କରାଯାଉଥିଲା । ଆସନ୍ତା ଦଶହରା ଓ ଦୀପାବଳୀକୁ ଦୃଷ୍ଟିରେ ରଖି କାରଖାନାରେ ଅଧିକ ବାଣ ଉତ୍ପାଦନ କରାଯାଉଥିଲା । କାରଖାନା ପରିସରରେ ଥିବା ଗୋଦାମରେ ବିପୁଳ ପରିମାଣରେ ବିସ୍ଫୋରକ ଓବାଣ ରଖାଯାଇଥିଲା । ବାଣ ତିଆରିବେଳେ ନିଆଁ ଲାଗିବାକୁ ବିସ୍ଫୋରଣ ହୋଇଥିଲା । ତେବେ ନିଆଁର କାରଣ ଜଣାପଡ଼ିନାହିଁ । ଘଟଣାସ୍ଥଳରେ ପୁଲିସ, ସ୍ଥାନୀୟ ପ୍ରଶାସନ ଓ ଦମକଳ ବାହିନୀ ପହଞ୍ଚିଛନ୍ତି । ଦମକଳ ବାହିନୀ ପକ୍ଷରୁ ନିଆଁ ଲିଭାଯାଉଛି । ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଏହି ବାଣ କାରଖାନାଟି ଚେନ୍ନାଇଠାରୁ ୧୯୦ କିଲୋମିଟର ଦୂରରେ ଅବସ୍ଥିତ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର