ନୂଆଦିଲ୍ଲୀ: ପାକିସ୍ତାନର ବନ୍ଦର ସହର କରାଚିର ଖରାଦର ଅଞ୍ଚଳରେ ଥିବା ବୋଲ୍ଟନ ବଜାରରେ ସୋମବାର ସନ୍ଧ୍ୟା ସମୟରେ ବିସ୍ଫୋରଣ ଘଟିଛି। ଜଣେ ମହିଳାଙ୍କ ଜୀବନ ଯାଇଛି। ପ୍ରାୟ ୧୨ଜଣ ଗୁରୁତର ହୋଇଛନ୍ତି।

Advertisment

କରାଚିର ଖରାଦର ଅଞ୍ଚଳରେ ରହିଛି ବୋଲ୍ଟନ ବଜାର। ଏହା କରାଚିର ଏକ ବ୍ୟବସାୟିକ ହବ ରୂପେ ପରିଚିତ। ଏହି ବଜାରରେ ଜନଗହଳି ଲାଗି ରହିଥିଲା। ଲୋକେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ଥିବାବେଳେ ହଠାତ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଶବ୍ଦରେ ମାର୍କେଟ ପୁରା ଥରହର ହୋଇପଡିଥିଲା। ଲୋକେ ପ୍ରାଣ ବିକଳରେ ଦୌଡାଦୌଡି କରଥିଲେ। ଘଟଣାରେ ଜଣେ ମହିଳାଙ୍କ ପ୍ରାଣ ଯାଇଥିବାବେଳେ ୧୨ ଜଣ ଗୁରୁତର ହୋଇପଡିଥିଲେ।

ଖବରପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ତେବେ କିଭଳି ବିସ୍ଫୋରଣ ହୋଇଛି, କିଏ ଏଥିପାଇଁ ଦାୟୀ ତାହାର କାରଣ ଜଣାପଡିନଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ଜନୈକ ପୁଲିସ ଅଧିକାରୀ କହିଛନ୍ତି। ଗତ ମାସରେ କରାଚି ବିଶ୍ୱବିଦ୍ୟାଳୟରେ ଆତ୍ମଘାତୀ ଆକ୍ରମଣରେ ଚାଇନାର ତିନିଜଣ ଶିକ୍ଷକ ଏବଂ ଜଣେ ସ୍ଥାନୀୟ ଲୋକଙ୍କର ମୃତ୍ୟୁ ହେବାର କିଛି ସପ୍ତାହ ପରେ ଏହି ଘଟଣା ଘଟିଛି।