କାର୍ପେଟ୍‌ ଫ୍ୟାକ୍‌ଟ୍ରିରେ ବିସ୍ଫୋରଣ, ୧୨ ମୃତ

ବାଣ ତିଆରି ପାଇଁ ବିସ୍ଫୋରକ ମହଜୁଦ୍‌ ଥିଲା

ଲ‌‌‌କ୍ଷ୍ନୌ: ଉତ୍ତରପ୍ରଦେଶର ଭଦୋହି ଜିଲ୍ଲା ଅନ୍ତର୍ଗତ ଚୌରି ଥାନାର ରୋତାହା ଗ୍ରାମ ସ୍ଥିତ ଏକ ଗାଲିଚା କାରଖାନାରେ ଆଜି ବିସ୍ଫୋରଣ ଘଟି ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଉକ୍ତ କାରଖାନାରେ କିଛିଦିନ ଧରି ଚୋରାରେ ବାଣ ତିଆରି ଚାଲିଥିଲା ଏବଂ ପ୍ରଚୁର ବିସ୍ଫୋରକ ମହଜୁଦ୍‌ ଥିଲା। ଏହି ବିସ୍ଫୋରଣରେ ୩ଟି ଘର ଧୂଳିସାତ୍‌ ହୋଇଯାଇଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ପ୍ରାୟ ୪ କିମି ପର୍ଯ୍ୟନ୍ତ ଅଂଚଳକୁ ଏହା ଥରାଇ ଦେଇଥିଲା। କାରଖାନାର ମାଲିକ ଇରଫାନ୍‌ ମନ୍‌ସୁରି ଗାଲିଚା ତିଆରି ପାଇଁ ଅନୁମତି ନେଇ ବେଆଇନ ବାଣ କାରବାର ଚଳାଇଥିଲେ। ନିକଟରେ ସେ ଏକ ବାଣ ଦୋକାନ ମଧ୍ୟ ଖୋଲିଥିଲେ। ବିସ୍ଫୋରଣ ବେଳେ ଉକ୍ତ କୋଠାରେ କାମରେ ବ୍ୟସ୍ତ ଥାଇ ଜୀବନ ହାରିଥିବା ବୁଣାକାରମାନଙ୍କ ମଧ୍ୟରେ ଅଧିକାଂଶ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ଉଦ୍ଧାର ହୋଇଥିବା ୩ ଜଣଙ୍କ ଅବସ୍ଥା ଏବେ ସଙ୍କଟା‌ପନ୍ନ ରହିଥିବା ବେଳେ ଭଗ୍ନ କୋଠା ତଳେ ଆହୁରି ଅନେକ ଫସି ରହିଥିବା ଆଶଙ୍କା କରାଯାଉଛି। ତେବେ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ବାରାଣାସୀ ଜୋନ୍‌ ଏଡିଜି ପିଭି ରାମ ଶାସ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର