ମହାରାଷ୍ଟ୍ର କାରଖାନାରେ ବିସ୍ଫୋରଣ, ୧୩ ମୃତ

ମୁମ୍ବାଇ: ମହାରାଷ୍ଟ୍ରର ଏକ ରାସାୟନିକ କାରଖାନାରେ ବିସ୍ଫୋରଣ ଫଳରେ ୧୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୫୮ ଜଣ ଆହତ ହୋଇଛନ୍ତି। ଆଜି ସକାଳେ ମହାରାଷ୍ଟ୍ରର ଧୁଲେ ଜିଲ୍ଲା ଅନ୍ତର୍ଗତ ଶିରପୁର ତାଲୁକାର ୱାଘାଡି ଗ୍ରାମରେ ଏହି ଅଘଟଣ ଘଟିଛି। ଯବକ୍ଷାରଜାନ ଗ୍ୟାସ ସିଲଣ୍ଡରର ସିରିଜ୍ ବିସ୍ଫୋରଣ ଘଟିବା ଯୋଗୁ କାରଖାନା ପରିସରରେ ନିଆଁ ଚାରିଆଡ଼କୁ ଖେଳି ଯାଇଥିଲା। ନିଆଁ ଲାଗିବା ସମୟରେ କାରଖାନାରେ ଅତିକମ୍‌ରେ ୧୦୦ ଜଣ ଶ୍ରମିକ ଥିଲେ। ନିଆଁକୁ ଆୟତ୍ତକୁ ଅଣାଯାଇଥିଲେ ମଧ୍ୟ ଦୀର୍ଘ ସମୟ ଧରି ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ଅଗ୍ନିଶମ ବାହିନୀ, ପୁଲିସ, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଫୋର୍ସ ମିଳିତଭାବେ ଉଦ୍ଧାର କାର୍ଯ୍ୟ କରିଥିଲେ। ଆହତମାନଙ୍କୁ ଧୁଲେ ସିଭିଲ ହସ୍ପିଟାଲ ଏବଂ ଶିରପୁର କଟେଜ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
କାରଖାନାରେ ବିସ୍ଫୋରଣ ବେଳେ ସୃଷ୍ଟି ହୋଇଥିବା ଶବ୍ଦ ଏତେ ଭୟଙ୍କର ଥିଲା ଯେ ନିକଟସ୍ଥ ଲୋକମାନେ ଭୟରେ ଘର ଭିତରକୁ ପଶି ଯାଇଥିଲେ। ଏହି କାରଖାନାର ନାମ ରୁମିଥ୍ କେମ୍‌ସିନ୍ଥ ପ୍ରାଇଭେଟ ଲିମିଟେଡ ରହିଥିବାବେଳେ ଏଠାରେ ଔଷଧ ପ୍ରସ୍ତୁତି ପାଇଁ ଆବଶ୍ୟକ ରାସାୟନିକ ସାମଗ୍ରୀ ଉତ୍ପାଦନ ହୋଇଥାଏ। ଏହି ଘଟଣାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ସଦସ୍ୟଙ୍କୁ ୫ ଲକ୍ଷ ‌ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଅଘଟଣ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ପରିସ୍ଥିତି ସମ୍ପର୍କରେ ଅବଗତ ହୋଇଛନ୍ତି।

ସମ୍ବନ୍ଧିତ ଖବର