ମୋଗାଦିସୁ : ଆଫ୍ରିକୀୟ ଦେଶ ସୋମାଲିଆରେ ପୁଣି ଥରେ ରକ୍ତର ହୋଲି ଖେଳିଛନ୍ତି ଇସ୍ଲାମୀୟ ଆତଙ୍କବାଦୀ । ଶନିବାରଦିନ ସୋମାଲିଆର ରାଜଧାନୀ ମୋଗାଦିସୁର ଏକ ବ୍ୟସ୍ତବହୁଳ ଅଞ୍ଚଳରେ ଏକ କାର ବୋମା ବିସ୍ଫୋରଣ ହେବାରୁ ପ୍ରାୟ ୭୬ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଓ ପ୍ରାୟ ୭୦ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଉଦବେଗଜନକ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି ବୋଲି ପୁଲିସ କହିଛି ।

Advertisment

ସୋମାଲିଆ ସରକାରଙ୍କ ମୁଖପାତ୍ର ଇସମାଇଲ ମୁଖତାର କହିଛନ୍ତି ଯେ ଶନିବାର ସକାଳ ୮ଟା ବେଳେ ଦକ୍ଷିଣ ସୋମାଲିଆ ଓ ରାଜଧାନୀ ମୋଗାଦିସୁକୁ ସଂଯୋଗ କରୁଥିବା ଏକ ଚେକପୋଷ୍ଟ ନିକଟରେ ଏହି ବିସ୍ଫୋରଣ ହୋଇଥିଲା । ଜଣେ ଆତ୍ମଘାତୀ ଆତଙ୍କବାଦୀ କାରରେ ବିସ୍ଫୋରକ ଖଞ୍ଜି ତାହାକୁ ଉକ୍ତ ଚେକପୋଷ୍ଟ ନିକଟରେ ଉଡ଼ାଇଦେଇଥିଲା । ମୃତ ଲୋକମାନଙ୍କ ମଧ୍ୟରେ ସେନା ଯବାନ, ଶିଶୁ ଓ ବିଶ୍ୱବିଦ୍ୟାଳୟ ଛାତ୍ର ମଧ୍ୟ ରହିଛନ୍ତି । ଉକ୍ତ ଚେକପୋଷ୍ଟ ନିକଟରେ ପୁଲିସ ପକ୍ଷରୁ ସୁରକ୍ଷା ଯାଞ୍ଚ କରାଯାଏ । ନିକଟରେ ଏକ ଟିକସ ଅଫିସ ମଧ୍ୟ ରହିଛି । ଏହି କାରଣରୁ ବିସ୍ଫୋରଣବେଳେ ଘଟଣାସ୍ଥଳରେ ଜନଗହଳି ଥିଲା ।

ଆତଙ୍କବାଦୀ ସଂଗଠନ ଅଲ-ସବାବ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ବିଶ୍ୱର କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ-କାଇଦା ସହ ସଂପୃକ୍ତ ଅଲ-ସବାବ ୨୦୦୬ରୁ ସୋମାଲିଆରେ ଆତଙ୍କବାଦୀ ନରସଂହାର କରିଚାଲିଛି ବୋଲି ଜଣାପଡ଼ିଛି ।