ନୂଆଦିଲ୍ଲୀ: ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ୟୁକ୍ରେନ୍ ବିପକ୍ଷରେ ଯୁଦ୍ଧ ଘୋଷଣା କରିବା କ୍ଷଣି କିଏଭ୍ ଏବଂ ଖାର୍କିଭ୍ରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିବା ରିପୋର୍ଟ ଆସିଛି। ପୂର୍ବ ୟୁକ୍ରେନ୍ରେ ରୁଷ୍ର ଆକ୍ରମଣ ଯୋଗୁଁ ଅନ୍ଧାରିଆ ଦିଗ୍ବଳୟରେ ଝଲସି ଉଠୁଥିବା ପ୍ରକାଣ୍ଡ ଅଲୁଅର ଝଲକ ଥିବା ଭିଡିଓ ଆମେରିକାର ‘ବିଏନ୍ଓ ନିଉଜ୍’ ପ୍ରସାରଣ କରୁଛି।
ୟୁକ୍ରେନ୍ର ସରକାରୀ ଅଧିକାରୀମାନେ କହିଛନ୍ତି ଯେ, ଖାର୍କିଭ୍ ସୀମା ପାର ହୋଇ ରୁଷ୍ ସେନା ଓଡ଼େଶା ଏବଂ ଅନ୍ୟ ଅଞ୍ଚଳକୁ ଚାଲି ଆସିଲେଣି।
ସେହିପରି, ରୁଷ୍ର ବେଲ୍ଗ୍ରୋଡ୍ ପ୍ରଦଶେରେ ମଧ୍ୟ ସିରିଜ୍ ବିସ୍ଫୋରଣ ଘଟିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ କଥାକୁ ଉଦ୍ଧାର କରି ସମ୍ବାଦ ସରବରାହ ସଂସ୍ଥାନ ରଏର୍ଟସ୍ ରିପୋର୍ଟ କରିଛି।
ଏଥିସହ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ୍ପିଛା ୧୦୦ ଡଲାର୍ ହୋଇଯାଇଥିବା ରିପୋର୍ଟ ମିଳିଛି।
ସେପଟେ, ଜାତିସଂଘ ସୁରକ୍ଷା ପରିଷଦ୍ର ଜରୁରୀକାଳୀନ ବୈଠକରେ ରୁଷ୍ କହିଛି ଯେ, ୟୁକ୍ରେନୀୟମାନଙ୍କୁ ସୁରକ୍ଷା ଦେବା ଏହି ସ୍ବତନ୍ତ୍ର ଅଭିଯାନର ଉଦ୍ଦେଶ୍ୟ। ରୁଷ୍ ପ୍ରତିନିଧି କହିଛନ୍ତି, ରାଷ୍ଟ୍ରପତି ପୁଟିନ୍ ଘୋଷଣା କରିଥିବା ‘ସ୍ବତନ୍ତ୍ର ଅଭିଯାନ’ ବହୁ ବର୍ଷ ଧରି ନିର୍ଯାତନା ସହି ରହିଥିବା ୟୁକ୍ରେନ୍ବାସୀଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ। ଆମେ ୟୁକ୍ରେନ୍ରେ ଗଣସଂହାର ରୋକିବାକୁ ଚାହୁଁ। ‘ୟୁଏନ୍ ଚାର୍ଟର୍’ ଧାରା ୫୧ ଅନୁସାରେ, ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆମେ ୟୁକ୍ରେନ୍ରେ ପରିସ୍ଥିତି ସମୀକ୍ଷା କରିବୁ।
/sambad/media/post_attachments/wp-content/uploads/2022/02/war-1.jpg)
ତେଣେ, ଜାତିସଂଘରେ ୟୁକ୍ରେନ୍ କହିଛି, ଏହି ଯୁଦ୍ଧ ବନ୍ଦ କରିବା ହେଉଛି ଜାତିସଂଘର ଦାୟିତ୍ବ। ଯୁଦ୍ଧ ବନ୍ଦ କରିବା ଲାଗି ସମସ୍ତଙ୍କୁ ନିବେଦନ କରୁଛୁ।
ୟୁକ୍ରେନ୍ ବିରୋଧରେ ରୁଷ୍ ଯୁଦ୍ଧ ଘୋଷଣା କରିବା ପରେ ଆମେରିକାର ରାଷ୍ଟ୍ରପତି ବାଇଡେନ୍ କହିଛନ୍ତି, ଏହି ଆକ୍ରମଣ ଯୋଗୁଁ ହେବାକୁ ଥିବା ମୃତ୍ୟୁ ଓ ଧ୍ବଂସଲୀଳା ପାଇଁ ଏକା ରୁଷ୍ ହିଁ ଦାୟୀ ରହିବ। ଯୁକ୍ତରାଷ୍ଟ୍ର ଆମେରିକା ଏବଂ ତାହାର ମିତ୍ରମାନେ ସମ୍ମିଳିତ ଭାବେ ନିର୍ଣ୍ଣାୟକ ମୁକାବିଲା କରିବେ। ଯୁଦ୍ଧ ପାଇଁ ସମଗ୍ର ବିଶ୍ବ ରୁଷ୍କୁ ଦାୟୀ କରିବ।
ରୁଷ୍ ସେନାଙ୍କ ଅକାରଣ ଏବଂ ଅସଙ୍ଗତ ଆକ୍ରମଣ ଯୋଗୁଁ ଦୁର୍ଦ୍ଦଶା ଭୋଗୁଥିବା ୟୁକ୍ରେନୀୟଙ୍କ ପାଇଁ ଆଜି ରାତିରେ ସମଗ୍ର ବିଶ୍ବ ଜନତା ପ୍ରାର୍ଥନା କରିବେ। ରାଷ୍ଟ୍ରପତି ପୁଟିନ୍ ଯୋଜନାବଦ୍ଧ ଭାବେ ଆରମ୍ଭ କରିଥିବା ଏହି ଯୁଦ୍ଧ ପ୍ରଳୟଙ୍କରୀ ଜୀବନହାନୀ ଏବଂ ମାନବୀୟ ଦୁର୍ଦ୍ଦଶାର କାରଣ ହେବ।
ଆଜି ସନ୍ଧ୍ୟାରୁ ମୁଁ ହ୍ବାଇଟ୍ ହାଉସ୍ରେ ଥାଇ ପରିସ୍ଥିତି ଉପରେ ଦୃଷ୍ଟି ରଖିବା ସହ ଆମ ଜାତୀୟ ନିରାପତ୍ତା ଟିମ୍ ଠାରୁ ନିୟମିତ ସଦ୍ୟତମ ସୂଚନା ସଂଗ୍ରହ କରିବି। ଆସନ୍ତାକାଲି ସକାଳେ ମୁଁ ‘ଜି୭’ ଦେଶର ମୁଖ୍ୟମାନଙ୍କ ସହ ଆଲୋଚନା କରିବି। ଆମେ ‘ନାଟୋ’ ସଦସ୍ୟରାଷ୍ଟ୍ରଙ୍କୁ ସହ ମଧ୍ୟ ସମନ୍ବୟ ରକ୍ଷା କରିବୁ।