ନୂଆଦିଲ୍ଲୀ: ଅନେକ ଥର ମାଛି ମଣିଷକୁ ଅସୁବିଧାରେ ପକାଇ ଥିବା ଘଟଣା ଦେଖିବାକୁ ମିଳିଛି। କିନ୍ତୁ ଜଣେ ବ୍ୟକ୍ତି ମାଛିକୁ ମାରିବା ପାଇଁ ନିଜଘରେ ହିଁ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି।
ପ୍ରକାଶିତ ଖବର ମୁତାବକ, ଜଣେ ୮୨ ବର୍ଷ ବୟସ୍କ ବ୍ୟକ୍ତି ଗତ ଶୁକ୍ରବାର ଦିନ ପାର୍କୋଲ-ଚେନାଉଦ ନାମକ ଛୋଟ ଗାଁରେ ତାଙ୍କ ଘରେ ରାତ୍ରୀ ଭୋଜନ କରୁଥିଲେ। ଏହି ସମୟରେ ଏକ ମାଛି ତାଙ୍କ ଘର ଭିତରକୁ ପଶି ଆସି ବିଚଳିତ କରି ପକାଇଥିଲା।
/sambad/media/post_attachments/e7eca571360f6b6e57acbfd52f6997245417dec38a3f25c77c7780965e8ecb54.jpg)
ଫ୍ରାନସିସ ଏକ ଇଲେକ୍ଟ୍ରିକ୍ ରାକେଟ ସାହାଯ୍ୟରେ ମାଛିକୁ ମାରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ସମୟରେ ତାଙ୍କ ଘର ଭିତରେ ଗ୍ୟାସ୍ ଲିକ୍ ହେଉଥିବାର ସେ ଜାଣି ପାରି ନଥିଲେ। ଯେମିତି ହିଁ ସେ ଇଲେକ୍ଟ୍ରିକ୍ ରାକେଟ୍ ଚଳାଇଥିଲେ ତାହା ଗ୍ୟାସ୍ ସଂସ୍ପର୍ଶରେ ଆସି ରୋଷେଇ ଘରେ ନିଆଁ ଲାଗିଯାଇଥିଲା। ବିସ୍ଫୋରଣ ପରେ ସେଠାରେ ଥିବା ସମସ୍ତ ଜିନିଷ ଜଳି ନଷ୍ଟ ହୋଇଯାଇଥିଲା।
ସୌଭାଗ୍ୟବଶତଃ ଏହି ଅଗ୍ନିକାଣ୍ଡରେ ବ୍ୟକ୍ତି ଜଣକଙ୍କ ଜୀବନ ରକ୍ଷା ପାଇ ଯାଇଥିବା ବେଳେ କେବଳ ତାଙ୍କ ହାତ ପୋଡି ଯାଇଥିଲା। ସଙ୍ଗେସଙ୍ଗେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଏବେ ତାଙ୍କ ଅବସ୍ଥା ସ୍ଥିର ରହିଥିଲା। ତାଙ୍କ ଘର ବିସ୍ଫୋରଣରେ ନଷ୍ଟ ହୋଇ ଯାଇଥିବାରୁ ହସ୍ପିଟାଲରୁ ଛୁଟି ମିଳିବା ପରେ ସେ ସ୍ଥାନୀୟ ଏକ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି।