ସୂର୍ଯ୍ୟୋପରାଗକୁ ନେଇ ଅନ୍ଧବିଶ୍ୱାସ ! ୩ ଭିନ୍ନକ୍ଷମ ଶିଶୁଙ୍କୁ ମୁଣ୍ଡ ଯାଏଁ ମାଟିରେ ପୋତିଦେଲେ ବାପା-ମା’

ବାଙ୍ଗାଲୋର: ଆଜି ସକାଳେ ସଂଘଟିତ ହୋଇଥିବା ବିରଳ ବଳୟ ସୂର୍ଯ୍ୟୋପରାଗ ଶେଷ ହୋଇଛି। ଏହି ମହାଜାଗତିକ ଦୃଶ୍ୟ ଦକ୍ଷିଣ ଭାରତର ଅଳ୍ପ କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବେ ଦେଖାଯାଇଥିବା ବେଳେ ସମଗ୍ର ଓଡ଼ିଶାରେ ଏହା ଆଂଶିକ ଭାବେ ଦେଖାଯାଇଛି । ତେବେ ସୂର୍ଯ୍ୟୋପରାଗକୁ ନେଇ ଥିବା ଅନ୍ଧବିଶ୍ୱାସ ଆଜି ଦେଖିବାକୁ ମିଳିଛି | କର୍ଣ୍ଣାଟକର କାଲାବୁର୍ଗୀ ଜିଲ୍ଲାରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକି ପ୍ରମାଣିତ କରିଛି ଯେ କିଭଳି ଆଜିର ସମୟରେ ବି ଅନ୍ଧବିଶ୍ୱାସର ଜାଲରେ ମଣିଷ କବଳିତ ହୋଇଛି |

India Today

ଆଜି ସୂର୍ଯ୍ୟୋପରାଗ ଥିବାବେଳେ କର୍ଣ୍ଣାଟକର କାଲାବୁର୍ଗୀ ଜିଲ୍ଲାର ତାଜସୁଲତାନପୁର ଗ୍ରାମରେ ତିନିଜଣ ଦିବ୍ୟାଙ୍ଗ ଶିଶୁଙ୍କୁ ସେମାନଙ୍କ ବାପା-ମା’ ମାନେ ମାଟିରେ ପୋତିଦେଇଥିଲେ | ଶିଶୁମାନଙ୍କ ମୁଣ୍ଡକୁ ମାଟି ବାହାରେ ରଖି ବେକ ତଳ ପର୍ଯ୍ୟନ୍ତ ମାଟିରେ ପୋତି ଦେଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି | ଶିଶୁମାନଙ୍କର ଅଭିଭାବକଙ୍କ କହିବା ମୁତାବକ ସୂର୍ଯ୍ୟୋପରାଗ ସମୟରେ ପିଲାମାନଙ୍କୁ ମାଟିରେ ପୋତିଲେ ସେମାନଙ୍କର ଅଙ୍ଗ ଜନିତ ଅସୁସ୍ଥତା ଭଲ ହୋଇଯାଏ ବୋଲି ବିଶ୍ୱାସ ରହିଛି | ତେଣୁ ଆଜି ବିରଳ ସୂର୍ଯ୍ୟୋପରାଗ ଥିବାରୁ ଦିବ୍ୟାଙ୍ଗ ପିଲାମାନଙ୍କୁ  ରୋଗମୁକ୍ତ କରିବା ଲାଗି ସେମାନେ ଏପରି କାର୍ଯ୍ୟ କରିଛନ୍ତି।

ଏଠାରେ ସୂଚନା ଥାଉ କି ଓଡ଼ିଶାରେ ଚନ୍ଦ୍ର ସୂର୍ଯ୍ୟକୁ ପ୍ରାୟ ୫୫ରୁ ୬୬ ପ୍ରତିଶତ ଘୋଡ଼ାଇଦେଇଥିବାର ଦେଖିବାକୁ ମିଳିଥିଲା | ସୂର୍ଯ୍ୟର ଆଲୋକ ମଳିନ ଦେଖାଯିବା ସହ ଅଧା ଖଣ୍ଡିଆ ଭଳି ଦୃଶ୍ୟମାନ ହୋଇଥିଲା। ମାତ୍ର ଏହି ବିରଳ ଦୃଶ୍ୟକୁ ଆକାଶ ମେଘାଚ୍ଛନ୍ନ ଥିବାରୁ ଦର୍ଶକ ଦେଖିବାରୁ ବଞ୍ଚିତ ହୋଇଥିଲେ ।

ସମ୍ବନ୍ଧିତ ଖବର