ଟୋକିଓ: ଶନିବାର ଦିନ ଜଣେ ଅନ୍ଧ ଜାପାନୀ ନାବିକ ପ୍ରଶାନ୍ତ ମହାସାଗରରେ ନିରବଚ୍ଛିନ୍ନ ଜଳଯାତ୍ରା ସମ୍ପୂର୍ଣ୍ଣ କରିଛନ୍ତି। ତରୀ ଚଳାଇ ବିଶାଳ ସମୁଦ୍ରର ପାରିହୋଇ ରେକର୍ଡ ସୃଷ୍ଟି କରିବାରେ ସେ ହେଉଛନ୍ତି ପ୍ରଥମ ଦୃଷ୍ଟିହୀନ ବ୍ୟକ୍ତି।
କାଲିଫର୍ଣ୍ଣିଆ ଛାଡ଼ିବାର ପ୍ରାୟ ଦୁଇ ମାସ ପରେ ଗୋଟାଏ ୪୦ ଫୁଟିଆ ସେଲ୍ବୋଟ୍ରେ ଶନିବାର ସକାଳେ ମିତ୍ସୁହିରୋ ଇଓ୍ଵାମୋତୋ ନାମକ ସେ ନାବିକ ଫୁକୁସିମାସ୍ଥିତ ବନ୍ଦରରେ ପହଞ୍ଚିଥିଲେ।
ସାନ୍ ଡିେଏଗୋର ବାସିନ୍ଦା ୫୨ ବର୍ଷିୟ ଇଓ୍ଵାମୋତୋ ଆମେରିକୀୟ ନେଭିଗେଟର୍ ଡଉଗ୍ ସ୍ମିଥ୍ଙ୍କ ସହ ଫେବ୍ରୁଆରି ୨୪ ତାରିଖରେ ଆମେରିକୀୟ ସହରରୁ ଜଳଯାତ୍ରା ଆରମ୍ଭ କରିଥିଲେ। ସ୍ମିଥ୍ ତାଙ୍କୁ ପବନ ପ୍ରବାହ ଆଦିର ସୂଚନା ମୌଖିକ ଭାବେ ଦେଉଥିଲେ।
ଛଅ ବର୍ଷ ତଳେ ତାଙ୍କ ୟଟ୍ ଗୋଟାଏ ତିମି ସହ ଧକ୍କା ଖାଇ ବୁଡ଼ିଯିବାରେ ତାଙ୍କର ପ୍ରାରମ୍ଭିକ ଜଳଯାତ୍ରା ବାଧା ପାଇବା ପରେ ଏହା ଥିଲା ତାଙ୍କର ଦ୍ୱିତୀୟ ଉଦ୍ୟମ।
୧୪୦୦୦ କିଲୋମିଟର୍ ଯାତ୍ରା ଅନ୍ତେ ତାଙ୍କ ତରୀ ଫୁକୁସିମାରେ ପହଞ୍ଚିବା ପରେ ସ୍ୱାଗତକାରୀ ଦଳଙ୍କୁ ଇଓ୍ଵାମୋତୋ କହିଲେ: ମୁଁ ଘରକୁ ଫେରିଲି। ଆପଣମାନଙ୍କୁ ଧନ୍ୟବାଦ।
‘ମୁଁ ବିରତ ନ ହୋଇ ମୋର ସ୍ୱପ୍ନ ସଫଳ କଲି‘ ବୋଲି ସେ କହିଛନ୍ତି।
୧୬ ବର୍ଷ ବୟସରୁ ଦୃଷ୍ଟିଶକ୍ତି ହରାଇଥିବା ଇଓ୍ଵାମୋତୋ ଦାତବ୍ୟ ପାଣ୍ଠି ପାଇଁ ଅର୍ଥ ସଂଗ୍ରହ କରିବାକୁ ଏହି ଜଳଯାତ୍ରା କରିଥିଲେ।