ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣା କମ୍ କରିବା ଲାଗି ବ୍ଲାଇଣ୍ଡ୍ ସ୍ପଟ୍ ଚିହ୍ନଟ ବ୍ୟବସ୍ଥାକୁ ସବୁ ଗାଡ଼ି ଲାଗି ବାଧ୍ୟତାମୂଳକ କରିବା ଉପରେ କେନ୍ଦ୍ର ସରକାର ବିଚାର କରୁଛନ୍ତି। ଏନେଇ ଏକ ଚିଠା ପ୍ରସ୍ତାବ ପ୍ରସ୍ତୁତ କରାଯାଇଛି। ବର୍ତ୍ତମାନ ଏହି ବ୍ୟବସ୍ଥା କିଛି ବିଳାସପୂର୍ଣ୍ଣ କାର୍ରେ ଉପଲବ୍ଧ ରହିଛି। ତାହାକୁ ସବୁ ନୂଆ କାର୍ ଲାଗି ବାଧ୍ୟତାମୂଳକ କରାଯିବ। ତାହାକୁ ଆଡ୍ଭାନ୍ସଡ୍ ଡ୍ରାଇଭର ଆସିଷ୍ଟାନ୍ସ ସିଷ୍ଟମ୍ସ (ଏଡିଏଏସ୍) କୁହାଯାଉଛି। କେବଳ କାର୍ ନୁହେଁ, ଟ୍ରକ୍ ଓ ଅନ୍ୟାନ୍ୟ କମର୍ସିଆଲ ଗାଡ଼ି ଲାଗି ତାହାକୁ ବାଧ୍ୟତାମୂଳକ କରାଯିବ।
ମୁହାଁମୁହିଁ ଦୁର୍ଘଟଣାକୁ ରୋକିବା ଲାଗି ଗାଡ଼ି ପାଇଁ ଏକ ସତର୍କ ବ୍ୟବସ୍ଥା ବିକାଶ କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ଏହାକୁ ‘ମୁଭିଙ୍ଗ ଅଫ୍ ଇନଫର୍ମେସନ ସିଷ୍ଟମ୍ (ଏମ୍ଓଆଇଏସ୍) କୁହାଯାଉଛି। ଏହି ବ୍ୟବସ୍ଥା ଗାଡ଼ିରେ ଥିଲେ ଯଦି କୌଣସି ପଥଚାରୀ, ଶିଶୁ କିମ୍ବା ସାଇକେଲ୍ ଆରୋହୀ ଗାଡ଼ିର ଅତି ନିକଟତର ହୋଇଯିବେ କିମ୍ବା ସେମାନଙ୍କ ସହ ଧକ୍କା ହେବାର ଆଶଙ୍କା ଥିବ ତେବେ ଡ୍ରାଇଭରଙ୍କୁ ତାହା ଆଗୁଆ ସୂଚିତ କରିବ। ଏଡିଏଏସ୍ ମଧ୍ୟ ସେହି କାର୍ଯ୍ୟ କରିପାରିବ। ଦୁର୍ଘଟଣା ଭଳି ସ୍ଥିତିରେ ତାହା ସ୍ବୟଂକ୍ରିୟ ଭାବେ ବ୍ରେକ୍ ଲଗାଇବ। ଯଦି ସେଭଳି ବ୍ରେକ୍ ବ୍ୟବସ୍ଥା ସବୁ କାର୍ରେ ରହିବ ତେବେ ସଡ଼କ ଦୁର୍ଘଟଣା ଅନେକାଂଶରେ ହ୍ରାସ ପାଇବ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଭାବୁଛି।
ନିକଟରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ୨୦୨୨ରେ ସଡ଼କ ଦୁର୍ଘଟଣା ମାମଲା ୧୨ ପ୍ରତିଶତ ବୃଦ୍ଧି ପାଇ ୪.୬ ଲକ୍ଷରେ ପହଞ୍ଚିଛି। ପ୍ରତି ଘଣ୍ଟାରେ ହାରାହାରି ଭାବେ ୧୯ ଜଣଙ୍କ ମୃତ୍ୟୁ ହେଉଛି। ଏଭଳି ଦୁର୍ଘଟଣାରେ ବ୍ଲାଇଣ୍ଡ୍ ସ୍ପଟ୍ ଜନିତ ଦୁର୍ଘଟଣାର ହାର ସର୍ବାଧିକ ୧୯.୫ ପ୍ରତିଶତ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/ddggdgdgd.jpg)