ନୂଆଦିଲ୍ଲୀ : ଆମେରିକା ବିଦେଶ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଆଜି ତାଙ୍କ ଭାରତୀୟ ପ୍ରତିପକ୍ଷ ଏସ୍ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍ଏସଏ) ଅଜିତ ଡୋଭାଲଙ୍କ ସହ ବୈଠକ କରିଛନ୍ତି। ଉଭୟ ରାଷ୍ଟ୍ର ମଧ୍ୟରେ କୋଭିଡ୍, ଭାରତ-ପ୍ରଶାନ୍ତ କ୍ଷେତ୍ର ଏବଂ ଆଫଗାନିସ୍ତାନ ସ୍ଥିତି ସଂକ୍ରାନ୍ତରେ ଆଲୋଚନା ହୋଇଛି। ବୈଠକ ପରେ ଉଭୟ ଜୟଶଙ୍କର ଏବଂ ବ୍ଲିଙ୍କେନ୍ ଗଣମାଧ୍ୟମକୁ ବୟାନ ଦେଇଥିଲେ। ବ୍ଲିଙ୍କେନ୍ କହିଛନ୍ତି, ବିଶ୍ବର ଦୁଇ ବିଶାଳ ଗଣତାନ୍ତ୍ରିକ ରାଷ୍ଟ୍ର ସେମାନଙ୍କ ଅନୁଷ୍ଠାନଗୁଡ଼ିକୁ ଆହୁରି ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ। ଉଭୟ ଭାରତ ଏବଂ ଆମେରିକା ଏ ଦିଗରେ ଅଧିକ କିଛି କରିବାକୁ ହେବ ବୋଲି ସେ କହିଛନ୍ତି। ଆଫଗାନିସ୍ତାନ ସ୍ଥିତି ଏବଂ ଭାରତ-ପ୍ରଶାନ୍ତ କ୍ଷେତ୍ର ସଂକ୍ରାନ୍ତରେ ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି।
କରୋନା ମୁକାବିଲା ଦିଗରେ ଭାରତ ଆମେରିକାକୁ ଯେଉଁ ସହଯୋଗ କରିଛି ସେହି ସହଯୋଗ ଆମେରିକା କେବେ ଭୁଲିପାରିବନି ବୋଲି ବ୍ଲିଙ୍କେନ୍ କହିଛନ୍ତି। ସେହିପରି ଟିକା ଉତ୍ପାଦନ ଏବଂ ବିଶ୍ବବ୍ୟାପୀ ଏହାର ସହଜ ଉପଲବ୍ଧ କରାଇବା ଦିଗରେ ଉଭୟ ରାଷ୍ଟ୍ର ମଧ୍ୟରେ ଆଲୋଚନା ହୋଇଛି ବୋଲି ଜୟଶଙ୍କର କହିଛନ୍ତି। ଆଫଗାନିସ୍ତାନ ସଂକ୍ରାନ୍ତରେ ବ୍ଲିଙ୍କେନ୍ କହିଛନ୍ତି, ଆମେରିକା ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର କରିଥିଲେ ମଧ୍ୟ ସେଠାରେ କାର୍ଯ୍ୟ ଜାରି ରଖିବ। ଆଫଗାନିସ୍ତାନରେ ତାଲିବାନ୍ର ଆଧିପତ୍ୟ ପାଇଁ ଆମେରିକା ଚିନ୍ତିତ ବୋଲି ବ୍ଲିଙ୍କେନ୍ କହିଛନ୍ତି। କ୍ବାଡ୍ ସଂକ୍ରାନ୍ତରେ ବ୍ଲିଙ୍କେନ୍ କହିଛନ୍ତି, ଏହା ଏକ ସାମରିକ ମେଣ୍ଟ ନୁହେଁ, ବିଭିନ୍ନ ଆଞ୍ଚଳିକ ଚ୍ୟାଲେଂଜ ପରିପ୍ରେକ୍ଷୀରେ ସହଯୋଗ ବୃଦ୍ଧି କରିବା ଏହାର ଉଦ୍ଦେଶ୍ୟ। ଅନ୍ୟପକ୍ଷେ ଡୋଭାଲଙ୍କ ସହ ସାକ୍ଷାତ ସମୟରେ ବ୍ଲିଙ୍କେନ୍ ସୁରକ୍ଷା, ପ୍ରତିରକ୍ଷା, ଆର୍ଥିକ ଏବଂ ବୈଷୟିକ ସହଯୋଗ ସଂକ୍ରାନ୍ତ ଆଲୋଚନା କରିଛନ୍ତି। ଭାରତ ସହ ଆମେରିକାର ରଣନୀତିକ ସଂପର୍କ ଅତ୍ୟନ୍ତ ସୁଦୃଢ଼ ବୋଲି ବ୍ଲିଙ୍କେନ କହିଛନ୍ତି।
ଚୀନ୍କୁ ରଗାଇଲା ଆମେରିକା, ଦଲାଇଲାମାଙ୍କ ପ୍ରତିନିଧିଙ୍କୁ ଭେଟିଲେ ବ୍ଲିଙ୍କେନ୍
ନୂଆଦିଲ୍ଲୀ : ଭାରତ ଗସ୍ତରେ ଆସିଥିବା ଆମେରିକା ବିଦେଶ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଆଜି ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମାଙ୍କ ପ୍ରତିନିଧିଙ୍କୁ ନୂଆଦିଲ୍ଲୀରେ ଭେଟିଛନ୍ତି। ଦଲାଇଲାମାଙ୍କ ପ୍ରତିନିଧି ଏନ୍ଗୋଡୁପ ଡଙ୍ଗଚୁଙ୍ଗ୍ଙ୍କୁ ଆଜି ବ୍ଲିଙ୍କେନ୍ ସାକ୍ଷାତ କରିବା ସହ ଚୀନ୍ର ରାଗ ବଢ଼ାଇ ଦେଇଥିବା କୁହାଯାଉଛି। ତେବେ ଚୀନ୍ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏନେଇ କୌଣସି ଟିପ୍ପଣୀ ରଖାଯାଇନି। ଚୀନ୍ ତିବ୍ଦତକୁ ଏହାର ଏକ ଅଂଶ ବୋଲି ଦାବି କରି ଆସିଛି ଏବଂ ଦଲାଇଲାମାଙ୍କୁ ଜଣେ ଉଗ୍ର ବିଚ୍ଛିନତାବାଦୀ ଆଖ୍ୟା ଦେଇଛି। ତେଣୁ ଆମେରିକା ବିଦେଶ ସଚିବ ବ୍ଲିଙ୍କେନ୍ ଦଲାଇଲାମାଙ୍କ ପ୍ରତିନିଧିଙ୍କୁ ଭେଟିବା ଘଟଣା ଚୀନ୍ ସହଜରେ ଗ୍ରହଣ କରିପାରିବ ନାହିଁ। ଉଲ୍ଲେଖଯୋଗ୍ୟ , ୨୦୧୬ରେ ଦଲାଇଲାମା ତତ୍କାଳିନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ଭେଟିଥିଲେ।