ବ୍ଲକ୍‌ଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକଙ୍କ ଦରମା ମାମଲା : ଅଦାଲତ ଅବମାନନା ଅଭିଯୋଗ ପିଟିସନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ବ୍ଲକ୍‌ ଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକଙ୍କ ଦରମା ମାମଲା ସଂପର୍କିତ ଅଦାଲତ ଅବମାନନା ଅଭିଯୋଗ ପିଟିସନକୁ ସୁପ୍ରିମକୋର୍ଟର ବିଚାରପତି ଅରୁଣ ମିଶ୍ର ଓ ବିଚାରପତି ଇନ୍ଦିରା ବାନାର୍ଜୀଙ୍କ ଖଣ୍ଡପୀଠ ଖାରଜ କରିଦେଇଛନ୍ତି। ବ୍ଲକଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକମାନଙ୍କ ଦରମା ବାବଦ ବକେୟାକୁ ସେମାନଙ୍କର ଏନ୍‌ଟାଇଟେଲ୍‌ମେଣ୍ଟ ଅନୁସାରେ ନିର୍ଦ୍ଧାରଣ କରିବା ପାଇଁ ସୁପ୍ରିମକୋର୍ଟ ଗତବର୍ଷ ଫେବ୍ରୁଆରୀ ୬ ତାରିଖ ଆଦେଶରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବ୍ଲକ ଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକମାନେ ୧୯୯୪ ମସିହାରୁ ବର୍ଦ୍ଧିତ ହାରରେ ଦରମା ବାବଦ ବକେୟା ଦେବାକୁ ନେଇ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲେ। ୨୦୧୭ ଫେବ୍ରୁଆରୀ ୬ ତାରିଖର ସୁପ୍ରିମକୋର୍ଟର ଆଦେଶକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରୁ ନାହାନ୍ତି ବୋଲି ତେରଟି ଅଦାଲତ ଅବମାନନା ଅଭିଯୋଗ ପିଟିସନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା। ଆଜି ଏହାର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୭ ଫେବ୍ରୁଆରୀ ୬ ତାରିଖ ଆଦେଶକୁ କାର୍ଯ୍ୟକାରୀ କରାଯାଉଛି ବୋଲି ଖଣ୍ଡପୀଠକୁ ଅବଗତ କରାଯିବା ପରେ ଅଦାଲତ ଅବମାନନା ଅଭିଯୋଗକୁ ବିଚାରକୁ ନିଆଯାଇ ପାରିବ ନାହିଁ ବୋଲି ଖଣ୍ଡପୀଠ କହିଥିଲେ। ଅଭିଯୋଗକାରୀ ଉପଯୁକ୍ତ ଫୋରମରେ ଚ୍ୟାଲେଞ୍ଜ କରିପାରିବେ ବୋଲି କହିଥିଲେ। ଏଥିସହିତ ଖଣ୍ଡପୀଠ ଅଦାଲତ ଅବମାନନା ଅଭିଯୋଗ ପିଟିସନଗୁଡ଼ିକର ଡିସପୋଜ ଅଫ୍‌ କରିଦେଇଥିଲେ। ଉଲ୍ଲେଖଯୋଗ୍ୟ, ଗତବର୍ଷ ନଭେମ୍ବର ୧୪ ତାରିଖରେ ସୁପ୍ରିମ କୋର୍ଟ ବ୍ଲକ୍‌ ଗ୍ରାଣ୍ଟ ଶିକ୍ଷକ, ଅଧ୍ୟାପକ ଏବଂ ଅଣଶିକ୍ଷକମାନଙ୍କ ଦରମା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଦ୍ୱାରା ଗ୍ରାଣ୍ଟ ଇନ୍‌ ଏଡ ଆଦେଶ-୨୦୧୭ ଅନୁସାରେ ଧାର୍ଯ୍ୟ କରାଯାଇଥିବା ସମସ୍ତ ବ୍ୟବସ୍ଥା ଉପରେ ସନ୍ତୋଷ ବ୍ୟକ୍ତ କରି ଯେଉଁ ଶିକ୍ଷକ, ଅଧ୍ୟାପକ ଓ ଅଣ ଅଧ୍ୟାପକ ଚାହିଁବେ ସେମାନେ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ନୀତିକୁ ଗ୍ରହଣ କରିପାରିବେ ଏବଂ ଯେଉଁମାନେ ଏହାକୁ ଗ୍ରହଣ କରିବାକୁ ଚାହୁଁ ନାହାନ୍ତି ସେମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ରହିଛି ଏବଂ ସେମାନେ ଉପଯୁକ୍ତ ଫୋରମରେ ଚ୍ୟାଲେଞ୍ଜ କରିପାରିବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର