ନୂଆଦିଲ୍ଲୀ : ସବୁଠି ଡ୍ରୋନ୍ ବ୍ୟବହାର ହେଉଛି। ପ୍ରି ୱେଡିଂ ଫଟୋ ଉଠାଇବା ଠାରୁ ଆରମ୍ଭ କରି ପିଜା ଡେଲିଭରି ଏବଂ ଯୁଦ୍ଧ ଜିତିବା ପର୍ଯ୍ୟନ୍ତ ଡ୍ରୋନ୍ ନିର୍ଣ୍ଣାୟକ ଭୂମିକା ନେଉଛି। ଏବେ ସ୍ବାସ୍ଥ୍ୟ କ୍ଷେତ୍ରରେ ବି ଡ୍ରୋନ୍ର ବ୍ୟବହାର କରାଗଲାଣି। ଗ୍ରେଟର ନଏଡ଼ାର ଜିମ୍ସ ହସ୍ପିଟାଲ ଏବଂ ଦିଲ୍ଲୀର ଲେଡି ହାର୍ଡିଙ୍ଗ ମେଡିକାଲ କଲେଜରୁ ନଏଡ଼ା ସେକ୍ଟର ୬୨ର ଜେପି ଇନଷ୍ଟିଚ୍ୟୁଟ୍କୁ ଡ୍ରୋନ୍ ଦ୍ବାରା ରକ୍ତ ପଠାଯାଇଛି। ଡ୍ରୋନ୍ଟି ୧୫ ମିନିଟ୍ରେ ୩୫ କିମି ଅତିକ୍ରମ କରି ସଫଳପ୍ରଦ ଭାବେ ରକ୍ତ ବ୍ୟାଗ୍ ଗୁଡ଼ିକ ପହଞ୍ଚାଇଥିଲା। ଯଦି ଆମ୍ବୁଲାନ୍ସ ଦ୍ବାରା ଏହି କାର୍ଯ୍ୟ କରାଯାଇଥାନ୍ତା ତେବେ ଘଣ୍ଟାଏରୁ ଅଧିକ ସମୟ ଲାଗିଥାନ୍ତା।
କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଏହି ସଫଳ ଟ୍ରାଏଲ୍ର ଏକ ଭିଡିଓ ସେୟାର କରିଛନ୍ତି ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ ଆରମ୍ଭ ହୋଇଥିବା ଏହି ନୂଆ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ଏକ ଟ୍ବିଟ୍ କରି କହିଛନ୍ତି, ଆଇ-ଡ୍ରୋନ୍ ଦ୍ବାରା ଭାରତୀୟ ସ୍ବାସ୍ଥ୍ୟସେବାକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରାଯାଉଛି। ଡ୍ରୋନ୍ ଦ୍ବାରା ବ୍ଲଡ୍ ବ୍ୟାଗ୍ ସଫଳପ୍ରଦ ଭାବେ ଡେଲିଭରି କରାଯାଇଛି ବୋଲି ମାଣ୍ଡଭୀୟୟ କହିଛନ୍ତି।