ପାଟନା: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଦେବେ ବୋଲି ଅଡ଼ି ବସିଛନ୍ତି। ଏଭଳି ଏକ ସ୍ଥିତିରେ ଆଜି ବିହାରର ଅନେକ ସଂଖ୍ୟାରେ ଯୁବ କଂଗ୍ରେସ କର୍ମୀମାନେ ରାହୁଲଙ୍କ ପାଖକୁ ରକ୍ତରେ ଚିଠି ଲେଖିଛନ୍ତି। କଂଗ୍ରେସ ସଭାପତି ପଦରେ ରହିବାପାଇଁ ସେମାନେ ରାହୁଲଙ୍କୁ ଏହି ରକ୍ତ ଲେଖା ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି। ପ୍ରଥମେ ଆଜି ଯୁବକର୍ମୀମାନେ ସଦାକତ ଆଶ୍ରମ ନିକଟରେ ଏକଜୁଟ୍‌ ହୋଇଥିଲେ। ସେମାନେ ରକ୍ତରେ ଲେଖିଥିବା ଚିଠିକୁ ପ୍ରଥମେ ରାଜ୍ୟ କଂଗ୍ରେସ ମୁଖ୍ୟ ମଦନ ମୋହନ ଝାଙ୍କୁ ଦେଇଥିଲେ। ଏହି ଚିଠିଟିକୁ ରାହୁଲଙ୍କ ନିକଟରେ ପହଞ୍ଚାଇବାପାଇଁ ସେମାନେ ଅନୁରୋଧ କରିଛନ୍ତି। ଝା କହିଛନ୍ତି ଏହି ଚିଠିର ପ୍ରଭାବ କ’ଣ ପଡ଼ିବ ତାହା ଜଣାନାହିଁ। କିନ୍ତୁ ଏଥିରୁ ଜଣାପଡ଼ୁଛି ‌ଯେ ରାହୁଲଙ୍କ ପ୍ରତି କଂଗ୍ରେସ କର୍ମୀମାନଙ୍କର ଦୃଢ଼ ବିଶ୍ବାସ ରହିଛି।