ନୂଆଦିଲ୍ଲୀ: ଆଜି ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ । ହୋଲିରେ ଏହି ଚନ୍ଦ୍ରଗ୍ରହଣ ପଡୁଥିବାରୁ ଏହି ବିରଳ ଚନ୍ଦ୍ରଗ୍ରହଣକୁ ବେଶ ଗୁରୁତ୍ବ ଦିଆଯାଉଛି । ଜ୍ୟୋତିର୍ବିଦ୍ଦଙ୍କ କହିବା ଅନୁସାରେ ଏହା ୧୦୦ ବର୍ଷ ପରେ ଏକ ବିରଳ ସଂଯୋଗ । ତେବେ ଏହି ଚନ୍ଦ୍ରଗ୍ରହଣରେ ଆଜି ଆକାଶରେ ଲାଲ୍ ଚନ୍ଦ୍ର ଦୃଶ୍ୟମାନ ହେବ ।
ଚନ୍ଦ୍ରଗ୍ରହଣ ସକାଳ ୯ଟା ୨୯ରୁ ଆରମ୍ଭ ହୋଇ ଅପରାହ୍ନ ୩ଟା ୨୯ ଯାଏଁ ଚାଲିବ । ଆଉ ଏହାରି ଭିତରେ ଦିନ ୧୧ଟା ୨୯ରୁ ଦିନ ୧ଟା ୧ ମିନିଟ୍ ମଧ୍ୟରେ ଆକାଶରେ ଲାଲ୍ ଜହ୍ନ ଦେଖାଦେବାର ସମ୍ଭାବନା ରହିଛି ।
କାହିଁକି ଦେଖାଯାଏ ବ୍ଲଡ ମୁନ୍ ?
ତେବେ ଚନ୍ଦ୍ରଗ୍ରହଣ ସମୟରେ ଯେତେବେଳେ ଚନ୍ଦ୍ର ଲାଲ ରଙ୍ଗର ଦେଖାଯାଏ, ସେତେବେଳେ ସେହି ପରିସ୍ଥିତିକୁ ରକ୍ତ ଚନ୍ଦ୍ର କୁହାଯାଏ । ସୂର୍ୟ୍ୟଙ୍କ କିରଣକୁ ଯେତେବେଳେ ପୃଥିବୀ ଛାୟା ସମ୍ପୂର୍ଣ୍ଣ ରୂପେ ଅବରୋଧ କରେ କିନ୍ତୁ ବାୟୁମଣ୍ଡଳରେ ଥିବା ଧୂଳି, ଗ୍ୟାସ୍ ଏବଂ ଅନ୍ୟାନ୍ୟ କଣିକା ଯୋଗୁଁ ନାଲି ରଙ୍ଗର କିରଣ ଚନ୍ଦ୍ରରେ ପହଞ୍ଚେ । ଏହି କାରଣରୁ ଚନ୍ଦ୍ରର ରଙ୍ଗ ଲାଲ୍ ଦିଶେ । ଅବଶ୍ୟ ଏହି ଦୃଶ୍ୟ ଚନ୍ଦ୍ରଗ୍ରହଣ ସମୟରେ କେବଳ କିଛି ସ୍ଥାନରେ ହିଁ ଦୃଶ୍ୟମାନ ହୁଏ ।
ଭାରତରେ ହେବ କି ଦୃଶ୍ୟମାନ ?
ବିରଳ ଚନ୍ଦ୍ରଗ୍ରହଣରେ ଚନ୍ଦ୍ର ଲାଲ୍ ଦିଶୁଥିବାରୁ ସମସ୍ତେ ଏହି ବିରଳ ଦୃଶ୍ୟ ଦେଖିବାକୁ ଅପେକ୍ଷା କରିଛନ୍ତି । ମାତ୍ର ଏହି ଚନ୍ଦ୍ର ଗ୍ରହଣ ଭାରତରେ ଦୃଶ୍ୟମାନ ହେଉନଥିବାରୁ ଲାଲ୍ ଚନ୍ଦ୍ରକୁ ଦେଖି ପାରିବେନି ଲୋକେ ।
କେଉଁ କେଉଁ ସ୍ଥାନରେ ହେବ ଦୃଶ୍ୟମାନ
ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବନି । ବରଂ ଏହି ଚନ୍ଦ୍ରଗ୍ରହଣ ଉତ୍ତର-ଦକ୍ଷିଣ ଆମେରିକା, ୟୁରୋପ, ଅଷ୍ଟ୍ରେଲିଆ ଏବଂ ଆଫ୍ରିକାରେ ଦୃଶ୍ୟମାନ ହେବ।