ଦେଶରେ ଆରମ୍ଭ ହେଲା ‘ରକ୍ତମସ୍ତୁ ସବେର୍କ୍ଷଣ’, କୋଭିଡ୍ ସଂକ୍ରମଣର ଅତି ନିକଟ ନିରୀକ୍ଷଣ

ନୂଆଦିଲ୍ଲୀ: ମହାମାରୀ କୋଭିଡ୍–୧୯ର ପ୍ରଭାବ ବିସ୍ତାର ଏବଂ ସଂକ୍ରମଣକୁ ଅତି ନିକଟରୁ ନିରୀକ୍ଷଣ କରିବା ଲାଗି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦେଶରେ ରକ୍ତମସ୍ତୁ ସବେର୍କ୍ଷଣ ବା ସିରମ୍ ସର୍ଭେ ଆରମ୍ଭ କରାଯାଇଛି। କିଛି ବଛା ବଛା ଜିଲ୍ଲାରେ ଲୋକଙ୍କ ଠାରେ ସମ୍ଭାବ୍ୟ ଅଧିକ ସଂକ୍ରମଣ ପ୍ରବଣତା ଏବଂ କମ୍ ସଂକ୍ରମଣ ପ୍ରବଣତା ଜାଣିବା ପାଇଁ ଏପରି ସବେର୍କ୍ଷଣ ଆରମ୍ଭ ହୋଇଥିବା ଜଣାଯାଇଛି। ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ, ଦେଶରେ ଚାଲିଥିବା ନିୟମିତ ନମୁନା ପରୀକ୍ଷଣ ସାଙ୍ଗକୁ ଏହି ସିରମ୍ ସର୍ଭେ ଜାରି ରହିବ। ଏହାଦ୍ବାରା ଦେଶର କୌଣସି ଅଞ୍ଚଳରେ ବି କୋଭିଡ୍–୧୯ର ଗତିବିଧି ଲକ୍ଷ୍ୟ କରାଯିବା ସହ ଏହାର ଗଣସଂକ୍ରମଣକୁ ମଧ୍ୟ ରୋକାଯାଇପାରିବ ବୋଲି ଆଶା ରଖାଯାଇଛି। ସାଧାରଣତଃ ଘନୀଭୂତ ରକ୍ତଠାରୁ ପୃଥକ୍ ହୋଇପାରୁଥିବା ଜଳୀୟ ଅଂଶକୁ ସିରମ୍ ବା ରକ୍ତମସ୍ତୁ କୁହାଯାଏ। ତେବେ ଏହି ସିରମ୍ ସଭେର୍ରେ ଏକ ନିର୍ଦ୍ଦିଷ୍ଟ ଶ୍ରେଣୀର ଲୋକଙ୍କ ସିରମ୍‌କୁ ହିଁ ପରୀକ୍ଷା କରାଯିବ।

newindianexpress

ସେଥିରୁ ଜିଲ୍ଲା ସ୍ତରରେ କରୋନା ଭୂତାଣୁ ସାର୍ସ–କୋଭ୍–୧୯ର ସଦ୍ୟ ଗତିବିଧି ଏବଂ ସମ୍ଭାବ୍ୟ ସଂକ୍ରମଣ ସମ୍ପର୍କରେ ଆକଳନ କରିହେବ। ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ(ଆଇସିଏମ୍ଆର୍) ଏବଂ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର(ଏନ୍‌ସିଡିସି) ଦ୍ବାରା ମିଳିତ ଭାବେ କରାଯାଉଥିବା ଏହି ସବେର୍କ୍ଷଣରେ ବିଭିନ୍ନ ରାଜ୍ୟର ସ୍ବାସ୍ଥ୍ୟ ବିଭାଗ ଏବଂ ପ୍ରମୁଖ ଔଷଧ କମ୍ପାନି ସାମିଲ ହୋଇଛନ୍ତି। ଏଥିରେ ସପ୍ତାହକୁ ମୋଟ ୨୦୦ଟି ରକ୍ତମସ୍ତୁ ନମୁନା ଏବଂ ମାସକୁ ୮୦୦ଟି ନମୁନାର ପରୀକ୍ଷା ହେବାକୁ ଥିବା ବେଳେ ସେଥିରୁ ଅତି କମ୍‌ରେ ସପ୍ତାହକୁ ୧୦୦ଟି ଓ ମାସକୁ ୪୦୦ଟି ନମୁନା ଅତିସଂକ୍ରମଣଶୀଳ ଜିଲ୍ଲାଗୁଡି଼କରୁ ସଂଗ୍ରହ କରାଯିବ ବୋଲି କୁହାଯାଇଛି। ସେହିପରି ଅପେକ୍ଷାକୃତ କମ୍ ସଂକ୍ରମଣପ୍ରବଣ ଅଞ୍ଚଳରୁ ଅତି କମ୍‌ରେ ସପ୍ତାହକୁ ୫୦ଟି ଓ ମାସକୁ ୨୦୦ଟି ନମୁନା ସଂଗ୍ରହ କରାଯିବାର ବ୍ୟବସ୍ଥା ହୋଇଛି। ଏହି ସବେର୍କ୍ଷଣରେ ଆର୍‌ଟି–ପିସିଆର୍ ଏବଂ ଏଲିସା ଆଣ୍ଟିବଡି କିଟ୍‌କୁ ମିଳିତ ଭାବେ ବ୍ୟବହାର କରାଯିବାକୁ ଥିବା ବେଳେ ନମୁନା ହିସାବରେ ଗଳା ଓ ନାସାର ସ୍ବାବ୍ ନିଆଯିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି

ସମ୍ବନ୍ଧିତ ଖବର