ଦମାସକସ: ସିରିଆର ପରିସ୍ଥିତି ଭୟଙ୍କର ହୋଇପଡିଛି। ସିରିଆ ସେନା ଦୁର୍ବଳ ହୋଇପଡ଼ିଛି ଏବଂ ବିଦ୍ରୋହୀମାନେ ଗୋଟିଏ ପରେ ଗୋଟିଏ ସହରକୁ ନିଜ କବ୍‌ଜାକୁ ନେଉଛନ୍ତି। ଏବେ ସେମାନେ ପ୍ରମୁଖ ସହର ହୋମ୍ସକୁ କବ୍‌ଜା କରି ଏବେ ଦମାସକସ ଆଡ଼କୁ ମୁହାଁଇଛନ୍ତି। ବିଦ୍ରୋହୀ ମାନେ ଦମାସକସକୁ ମଧ୍ୟ ନିଜ ନିୟନ୍ତ୍ରଣକୁ ନେଇଥିବା ଖବର ଆସିଛି।

Advertisment

ବିଦ୍ରୋହୀ କମାଣ୍ଡୋମାନେ ସେମାନଙ୍କର ତୋପ ଏବଂ ଯୁଦ୍ଧ ଉପକରଣ ସହିତ ଦମାସକସରେ ପହଞ୍ଚିଛନ୍ତି। ଅନ୍ୟ ସହରଗୁଡିକୁ ନିୟନ୍ତ୍ରଣ ପାଇଁ ଏକ ଭୟଙ୍କର ରକ୍ତାକ୍ତ ଯୁଦ୍ଧ ଚାଲିଛି ବୋଲି ସ୍ଥାନୀୟ ସହରବାସୀ କହିଛନ୍ତି। ଅନେକ ସ୍ଥାନରେ ଦୁଇପକ୍ଷ ବନ୍ଧୁକଧାରୀଙ୍କ ମଧ୍ୟ  ଗୁଳି ବିନିମୟ ହେଉଛି। 

ନ୍ୟୁଜ୍ ଏଜେନ୍ସି ରଏଟର୍ସ ଦାବି କରିଛି ଯେ ରାଷ୍ଟ୍ରପତି ବଶର ଅଲ-ଅସଦ ଦେଶଛାଡି ଏକ ସ୍ୱତନ୍ତ୍ର ବିମାନରେ ଅଜ୍ଞାତ ଗନ୍ତବ୍ୟ ସ୍ଥାନକୁ ଯାଇଛନ୍ତି।

ଦମାସକସ ଅନ୍ତର୍ଜାତୀୟ ବିମାନବନ୍ଦରରେ ଭୟ ଓ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ରାଷ୍ଟ୍ରପତି ବଶର ଅଲ-ଆସାଦ କ୍ଷମତାଚ୍ୟୁତ ଆଶଙ୍କା କରି ତାଙ୍କର ବିଶ୍ୱସ୍ତମାନେ ଦେଶ ଛାଡି ପଳାଇବାକୁ ଚେଷ୍ଟା କରୁଛନ୍ତି। ହାମା, ଆଲେପ୍ପୋ ଏବଂ ଦରାକୁ ଦଖଲ କରିବା ପରେ ହୋମ୍ସ ହେଉଛି ଚତୁର୍ଥ ପ୍ରମୁଖ ସହର ଯାହାକୁ ବିଦ୍ରୋହୀମାନେ ନିଜ ନିୟନ୍ତ୍ରଣକୁ ନେଇଛନ୍ତି।  ଯେଉଁ ଭିଡିଓଗୁଡ଼ିକ ସାମ୍ନାକୁ ଆସିଛି, ତାହା ସହରର ଦଖଲର କାହାଣୀ କହୁଛି। ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ମୁଖ୍ୟ ସହର ହୋମ୍ସକୁ ନିୟନ୍ତ୍ରଣ କରିବା ପାଇଁ ସରକାରୀ ବାହିନୀ ସହିତ ଲଢୁଥିବା ସିରିଆ ବିଦ୍ରୋହୀଙ୍କ ମଧ୍ୟରେ ଗୁଳି ବିନିମୟର ଶବ୍ଦ ଶୁଣିବାକୁ ମିଳୁଛି ଏବଂ ରାସ୍ତାରେ ବନ୍ଧୁକଧାରୀ ବିଦ୍ରୋହୀଙ୍କୁ ଦେଖିବାକୁ ମିଳୁଛି। 

ବିଦ୍ରୋହୀମାନେ ଦମାସକସରେ ପ୍ରବେଶ କରି ସରକାରୀ ସୈନ୍ୟଙ୍କୁ ଆତ୍ମସମର୍ପଣ କରିବାକୁ ଆଦେଶ ଦେଇଛନ୍ତି।ଧୀରେଧୀରେ ସିରିଆର ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରେ ଲାଗିଛି। 

ଗତ ୨୪ ବର୍ଷ ଧରି ରାଷ୍ଟ୍ରପତି ବଶର-ଅଲ-ଅସଦ କ୍ଷମତାରେ ଅଛନ୍ତି। ଇସଲାମିକ୍ ଷ୍ଟେଟ୍ ସମେତ ଅନେକ ଆତଙ୍କବାଦୀ ଗୋଷ୍ଠୀ ବିରୋଧରେ ୧୪ ବର୍ଷର ଗୃହଯୁଦ୍ଧ ମଧ୍ୟରେ ସେ କ୍ଷମତାରେ ଅଛନ୍ତି। 

ସମସ୍ତ କର୍ମଚାରୀଙ୍କୁ ଦମାସକସ  ଅନ୍ତର୍ଜାତୀୟ ବିମାନବନ୍ଦରରୁ ସ୍ଥାନାନ୍ତର କରାଯାଇଛି। ସମସ୍ତ ବିମାନ ଉଡ଼ାଣକୁ ବନ୍ଦ କରାଯାଇଛି। ରାଜଧାନୀ ଦମାସକସରେ ପୁଣି ଏକ ବିସ୍ଫୋରଣ ହୋଇଥିବା କୁହାଯାଉଛି। 

ଟେଲିଗ୍ରାମରେ ବିଦ୍ରୋହୀମାନଙ୍କୁ ଏଚଟିଏସ୍ ନେତା ଅହମ୍ମଦ ଅଲ-ଶାରା ଏକ ବାର୍ତ୍ତା ଦେଇଛନ୍ତି। ତାଙ୍କର ପ୍ରକୃତ ନାମ ଆବୁ ମହମ୍ମଦ ଅଲ-ଜୋଲାନି ବ୍ୟବହାର କରି ସେ କହିଛନ୍ତି ଯେ, ଦମାସକସ  ଆପଣଙ୍କୁ ଅପେକ୍ଷା କରିଛି ।

ସିରିଆ ବିଦ୍ରୋହୀମାନେ ଦମାସକସ ନିକଟ ଏକ କାରାଗାରରେ ବନ୍ଦୀମାନଙ୍କୁ ମୁକ୍ତ କରିଛନ୍ତି। ସିରିଆ ବିରୋଧୀ କହିଛନ୍ତି ସେମାନେ ଦମାସକସ  ନିକଟସ୍ଥ ସେଡନାୟା ଜେଲରେ ଥିବା ସମସ୍ତ ବନ୍ଦୀଙ୍କୁ ମୁକ୍ତ କରିଛନ୍ତି। 

ଦୀର୍ଘ ଦିନ ଧରି ଚାଲିଆସୁଥିବା ଗୃହଯୁଦ୍ଧରେ ପ୍ରଥମ ଥର ପାଇଁ ସରକାର ବର୍ତ୍ତମାନ ୧୪ଟି ପ୍ରାଦେଶିକ ରାଜଧାନୀ ଦମ୍ମେସକ, ଲାଟାକିଆ ଏବଂ ଟାର୍ଟସ୍ ମଧ୍ୟରୁ କେବଳ ତିନୋଟିକୁ ନିୟନ୍ତ୍ରଣ କରୁଛନ୍ତି। 

ଅଧିକ ପଢ଼ନ୍ତୁ: ଆମର କିଛି ହାତ ନାହିଁ: ଭାରତ-ମୋଦୀ ବିରୋଧୀ ଅଭିଯୋଗ ନେଇ ଆମେରିକାର ସ୍ପଷ୍ଟୀକରଣ

ସିରିଆ ବିଷୟରେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଏହା ଆମର ସଂଗ୍ରାମ ନୁହେଁ। ସିରିଆରେ ବୃଦ୍ଧି ପାଉଥିବା ବିବାଦରୁ ଆମେ ଦୂରରେ ରହିବା ଉଚିତ୍। ରୁଷ ଏବଂ ଇରାନରୁ ବଶରଙ୍କୁ ଅଧିକ ସମର୍ଥନ ମିଳିବ।

ତେହେରାନ ସିରିଆରେ ଇସଲାମିକ୍ ରିପବ୍ଲିକର ଦୂତାବାସ ଛାଡିବା ଖବରକୁ ପ୍ରତ୍ୟାଖ୍ୟାନ କରିଛି। ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଗେ ଦାବି କରିଛନ୍ତି ଯେ ଦୂତାବାସ ପୂର୍ବପରି କାର୍ଯ୍ୟ କରୁଛି।

କିଛି ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଥିଲା ଯେ ସିରିଆରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଇରାନ ନିଜର କୂଟନୈତିକ କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ ସ୍ଥାନାନ୍ତର କରିବା ଆରମ୍ଭ କରିଛି। ‌ଏହାର ଉତ୍ତରରେ ଇରାନ ଏଭଳି ସ୍ପଷ୍ଟୀକରଣ ଦେଇଛି।

ଅଧିକ ପଢ଼ନ୍ତୁ: ଚୀନ୍‌କୁ ବଡ଼ ଝଟକା: ସୋମାଲିଆ ଜଳଦସ୍ୟୁ ମାଛଧରା ଜାହାଜକୁ ଅପହରଣ କଲେ