ନୂଆଦିଲ୍ଳୀ: ପହଲଗାମ ଆକ୍ରମଣରେ ପ୍ରତିଶୋଧ ପାଇଁ ବ୍ଲୁ ପିଣ୍ଟ ପ୍ରସ୍ତୁତ। ସେନାକୁ ପୂର୍ଣ୍ଣ ସ୍ବାଧୀନତା ଦେଲେ ପ୍ରଧାନମନ୍ତ୍ରୀ । ଆକ୍ରମଣ ପାଇଁ ସମୟ, ଟାର୍ଗେଟ, ଶୈଳୀ ସ୍ଥିର କରିବାକୁ ନିର୍ଦ୍ଦେଶ । ପ୍ରତିରକ୍ଷା ମନ୍ତ୍ରୀ, ଏନଏସଏ, ସିଡିଏସ ଓ ତିନି ସେନାମୁଖ୍ୟଙ୍କ ସହ ମୋଦୀ ଓ ଶାହାଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକରେ ନିଷ୍ପତ୍ତି । ଜାମ୍ମୁ-କାଶ୍ମୀରର ପହଲଗାମ ରେ ଆତଙ୍କବାଦୀ ଆକ୍ରମଣ ପରେ ଆକ୍ସନରେ କେନ୍ଦ୍ର ସରକାର ।
ପାକିସ୍ତାନ ଉପରେ ଅନେକ ପ୍ରତିବନ୍ଧକ ଲଗାଯିବା ପରେ ଆଗାମୀ ରଣନୀତି ସମ୍ପର୍କରେ ଆଲୋଚନା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଛି । ମିଳିଥିବା ଖବର ଅନୁସାରେ, ଆକ୍ରମଣ ପାଇଁ ସବୁଜ ସଙ୍କେତ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ତିନିସେନା ମୁଖ୍ୟକୁ ପୂର୍ଣ୍ଣ କ୍ଷମତା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସମୟ , ସ୍ଥାନ ଓ ଲକ୍ଷ୍ୟ ନେଇ ସେମାନେ ନିଷ୍ପତ୍ତି ନେବେ । ଏହା ସହ ଆକ୍ରମଣରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଜାମ୍ମୁ-କାଶ୍ମୀରରେ ସୁରକ୍ଷା ଏଜେନ୍ସିଗୁଡିକୁ ହାଇଆଲର୍ଟରେ ରଖାଯାଇଛି ।
ଏହା ସହ ଅମରନାଥ ଯାତ୍ରା ଓ ଅନ୍ୟ ନାଗରିକଙ୍କ ସୁରକ୍ଷାରେ କୌଣସି ତ୍ରୁଟି ଦେଖାନଯାଏ ସେ ଉପରେ ଦୃଷ୍ଟି ଦେବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ଅନୀଲ ଚୌହ୍ବାନ ସାମିଲ ଥିଲେ । ବୈଠକରେ ୩ ସେନା ମୁଖ୍ୟ ବି ସାମିଲ ଥିଲେ । ଏଥିରେ ସୁରକ୍ଷା ସ୍ଥିତି, ଆତଙ୍କବାଦୀଙ୍କ ବିରୋଧରେ ଚାଲିଥିବା ଅପରେସନ ଓ ଭବିଷ୍ୟତର ରଣନୀତି ନେଇ ଆଲୋଚନା ହୋଇଛି । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏହି ବୈଠକ ବସିଥିଲା । ପହଲଗାମ ଆକ୍ରମଣ ପରେ ଜାମ୍ମୁ-କାଶ୍ମୀରରେ ସେନାର ଅପରେସନ ଜାରି ରହିଛି ।
ଆତଙ୍କବାଦୀଙ୍କୁ ଖୋଜାଯାଉଛି । ଭାରତ ମଧ୍ୟ ପାକିସ୍ତାନ ବିରୋଧରେ ଅନେକ ପ୍ରତିବନ୍ଧକ ଲଗାଇଛି । ବୈଠକ ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ । ସେପଟେ ଭାରତର କାର୍ଯ୍ୟାନୁଷ୍ଠାନ ପରେ ବଢିଲା ପାକିସ୍ତାନରେ ହଲଚଲ। ଏଲଓସିରେ ପାକିସ୍ତାନୀ ସେନା । ଉରି ସେକ୍ଟରରେ ପାକ୍ ସେନାର ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି । ଗତ ୬ ଦିନ ହେଲା ସୀମାରେ ପାକ ସେନା ଅସ୍ତ୍ରବିରତି ଉଲଙ୍ଘନ କରିଆସୁଛି । ରାତିରେ ପାକିସ୍ତାନ ପୋଷ୍ଟ ପକ୍ଷରୁ ଗୁଳିମାଡ କରାଯାଉଥିବା ବେଳେ ଭାରତ ପକ୍ଷରୁ କଡା ଯବାବ ମଧ୍ୟ ଦିଆଯାଉଛି । ଭାରତର ଆକ୍ରମଣ ଭୟରେ ପାକିସ୍ତାନ ସୀମାରେ ସୈନ୍ୟ ମୁତୟନ କରୁଥିବା କୁହାଯାଉଛି ।