ଅକ୍ସିଜେନ ଭରସାରେ ପଡିଛନ୍ତି ୯୬ ପ୍ରତିଶତ ଟିକା ନେଇନଥିବା ବ୍ୟକ୍ତି

ମୁମ୍ବାଇ: କରୋନା ମହାମାରୀ ମଧ୍ୟରେ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ବାସ୍ତବରେ, ବ୍ରିହାନମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ସୂଚନା ଦେଇଛି ଯେ ମୁମ୍ବାଇ ଡାକ୍ତରଖାନାଗୁଡ଼ିକରେ ଅମ୍ଳଜାନ ସହାୟତାରେ ବା ଅକ୍ସିଜେନ ସପୋର୍ଟରେ ଥିବା ସମୁଦାୟ ରୋଗୀଙ୍କ ମଧ୍ୟରୁ ୯୬% ରୋଗୀ ଏପର୍ଯ୍ୟନ୍ତ କୌଣସି ବି ଟିକା ନେଇନାହାନ୍ତି । ଏହି ରୋଗୀମାନେ ନିଜସ୍ୱ ଅବହେଳା ପାଇଁ ଟିକା ନେଇନଥିଲେ ଓ ଏବେ ଗୁରୁତର ହୋଇ ଅମ୍ଳଜାନ ଭରସାରେ ଅଛନ୍ତି | ଏଥିସହିତ ସହରର ଡାକ୍ତରମାନେ ମଧ୍ୟ ସ୍ୱୀକାର କରିଛନ୍ତି ଯେ ଯେଉଁମାନେ ଏପର୍ଯ୍ୟନ୍ତ ଟିକା ନେଇନାହାନ୍ତି ସେମାନଙ୍କୁ ଅକ୍ସିଜେନ ସପୋର୍ଟ କିମ୍ବା ଅତିରିକ୍ତ ସାହାଯ୍ୟର ଆବଶ୍ୟକତା ରହିଛି।

ଏହି ଲୋକମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ବୟସ ୫୦ ବର୍ଷରୁ ଅଧିକ ହୋଇଥିବାବେଳେ ଜାନୁୟାରୀ ୬ ପର୍ଯ୍ୟନ୍ତ ତଥ୍ୟକୁ ଦେଖି ବିଏମସି କମିଶନର ଇକବାଲ ଚହଲ କହିଛନ୍ତି ଯେ ଅମ୍ଳଜାନ ଶଯ୍ୟାରେ ଭର୍ତ୍ତି ହୋଇଥିବା ୧୯୦୦ କରୋନା ରୋଗୀଙ୍କ ମଧ୍ୟରୁ ୯୬ ପ୍ରତିଶତ ଲୋକ ଟିକା ନେଇ ନଥିବାବେଳେ କେବଳ ଚାରି ପ୍ରତିଶତ ଟିକା ନେଇଛନ୍ତି । ଜଣେ ଡାକ୍ତର ସ୍ପଷ୍ଟ କରିଛନ୍ତି ଯେ ମାମଲାଗୁଡ଼ିକରେ ବୃଦ୍ଧି ପରେ ଅନେକ ଲୋକ ଟିକା ନେବା ଆରମ୍ଭ କରିଛନ୍ତି।

ସେ କହିଛନ୍ତି ଯେ ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ପୁଙ୍ଖାନୁପୁଙ୍ଖ ଅଧ୍ୟୟନ କରାଯାଇ ନାହିଁ, କିନ୍ତୁ ଅମ୍ଳଜାନ ସହାୟତାରେ ଟିକା ନେଇନଥିବା ଅଧିକ ସଂଖ୍ୟକ ରୋଗୀ ଥିବାରୁ ଏହା ସ୍ପଷ୍ଟ ଭାବରେ ସୂଚାଇ ଦେଉଛି ଯେ ଯେଉଁମାନେ ଟିକା ନେଉନାହାନ୍ତି ସେମାନଙ୍କୁ କରୋନା ହେବାର ଆଶଙ୍କା ଅଧିକ। ଶୁକ୍ରବାର ଦିନ ରାଜ୍ୟରେ ୪୦,୯୨୫ ଟି ନୂଆ କରୋନା ମାମଲା ରୁଜୁ ହୋଇଛି। ଏହି ରୋଗୀଙ୍କ ମଧ୍ୟରୁ ଅଧା କେବଳ ମୁମ୍ବାଇ ସହରର। ଗତ ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇରେ ୨୦,୯୭୧ ନୂତନ ରୋଗୀ ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର