ନୋଏଡା: ବାଇକ୍ ଚଲାଇବା ସଉକ୍ ହେଲା କାଳ। ଦ୍ରୁତଗାମୀ କାର୍ ଧକ୍କା ଦେବା ପରେ ଚାଲିଗଲା ଜୀବନ। ଲକ୍ଷ୍ନୌର ୨୮ ବର୍ଷୀୟା ସୋମିତା ସିଂହ ନୋଏଡାର ଏକ ପ୍ରତିଷ୍ଠିତ ଆଇଟି କମ୍ପାନିରେ ସଫ୍ଟୱେର୍ ଡେଭଲପର ଥିଲେ। କିନ୍ତୁ ତାଙ୍କର ପ୍ରକୃତ ଆଗ୍ରହ ଥିଲା ବାଇକ୍ ଚଲାଇବା ଏବଂ ଏହି ପାଗଳାମି ତାଙ୍କୁ ମୃତ୍ୟୁମୁଖକୁ ଠେଲି ଦେଲା। ଗୁରୁଗ୍ରାମର ବାଦଶାହପୁର ଅଞ୍ଚଳରେ ବିଏମ୍ଡବ୍ଲୁ ବାଇକ୍ ଚଲାଉଥିବା ସୋମିତା ଏକ କାର ସହିତ ଧକ୍କା ଖାଇଥିଲେ, ଯାହା ଫଳରେ ତାଙ୍କ ଅବସ୍ଥା ଘଟଣାସ୍ଥଳରେ ଗୁରୁତର ହୋଇଯାଇଥିଲା। ସାଥୀ ଆରୋହୀମାନେ ତାଙ୍କୁ ଡାକ୍ତରଖାନା ନେଇଥିଲେ, କିନ୍ତୁ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।
ସୂଚନା ଅନୁଯାୟୀ, କିଛି ସପ୍ତାହ ପୂର୍ବରୁ, ସୋମିତା ଏକ ମହିଳା ବାଇକିଂ ଟିମ୍ରେ ଯୋଗ ଦେଇଥିଲେ। ସେ ଏଥିପାଇଁ ସ୍ପୋର୍ଟସ୍ ବାଇକିଂରେ ବୃତ୍ତିଗତ ତାଲିମ ମଧ୍ୟ ନେଉଥିଲେ। ବିଏମ୍ଡବ୍ଲୁ ଭଳି ଏକ ଭାରୀ ବାଇକ୍ ଭଡ଼ା ନେଇ, ସେ ଟିମ୍ ସହିତ ଗୁରୁଗ୍ରାମରେ 'ଲିଓପର୍ଡ ଟ୍ରେଲ୍' ନାମକ ରାଇଡ୍ର ଯୋଜନା କରିଥିଲେ। ସମସ୍ତ ଆରୋହୀ ନୋଏଡା ସେକ୍ଟର ୧୩୫ରୁ ବାହାରିଥିଲେ ଏବଂ ଅପରାହ୍ନରେ ଫେରିବା ସମୟରେ ଦୁର୍ଘଟଣା ଘଟିଥିଲା।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଏକ ଦ୍ରୁତଗାମୀ କାର ତାଙ୍କ ବାଇକ୍କୁ ଧକ୍କା ଦେଇଥିଲା, ଯାହା ଫଳରେ ସେ ଭାରସାମ୍ୟ ହରାଇ ତଳେ ପଡ଼ି ଯାଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା, ସୋମିତା ତାଙ୍କ ପରିବାର ସହିତ ଏହି ରାଇଡ୍ ବିଷୟରେ କହି ନଥିଲେ। ତାଙ୍କ ବାପାମାଆ ,ବାଇକିଂ ଗ୍ରୁପ୍ ବିଷୟରେ କିଛି ଜାଣି ନଥିବା ସହ ସେ ଭଡ଼ାରେ ବିଏମ୍ଡବ୍ଲୁ ବାଇକ୍ ଆଣିଛନ୍ତି ବୋଲି ମଧ୍ୟ ଜାଣିନଥିଲେ। ଏବେ ପରିବାର ଲୋକେ ଅଜ୍ଞାତ କାର୍ ଚାଳକ ବିରୋଧରେ ଏତଲା ରୁଜୁ କରିଛନ୍ତି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ପୁଲିସ।