ଫେବ୍ରୁଆରିରେ ହେବନି ବୋର୍ଡ ପରୀକ୍ଷା

ଭୁବନେଶ୍ବର: ଫେବ୍ରୁଆରିରେ ହେବନି ବୋର୍ଡ ପରୀକ୍ଷା। କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ‌କେବେ ପରୀକ୍ଷା କରାଯିବ, ସେନେଇ ଖୁବ୍‌ଶୀଘ୍ର ତାରିଖ ଘୋଷଣା ହେବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍‌ ‘ନିଶଙ୍କ’ ଆଜି ଟୁଇଟ୍ କରି ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ଘୋଷଣା ପରେ ଦେଶର ୨୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଆଶ୍ବସ୍ତି ମିଳିଛି। ମାର୍ଚ୍ଚ କିମ୍ବା ଏପ୍ରିଲ ମାସରେ ପରୀକ୍ଷା ହୋଇପାରେ ବୋଲି ଅନୁମାନ କରାଯାଉଛି।

ମନ୍ତ୍ରୀ ଶ୍ରୀ ପୋଖରିଆଲ୍‌ ଆଜି ଦେଶର ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଉଦ୍‌ବୋଧନ ଦେବା ସହ ସେମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ କହିଲେ ବୋର୍ଡ ପରୀକ୍ଷା ତାରିଖ ଉପରେ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। ସିବିଏସ୍‌ଇ, ସିଆଇଏସ୍‌ସିଇ ବୋର୍ଡ ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଏବେ ସ୍ଥଗିତ ରଖିବା ଲାଗି ଅନେକ ଛାତ୍ରଛାତ୍ରୀ, ଶିକ୍ଷକ/ଶିକ୍ଷୟିତ୍ରୀ ଅନୁରୋଧ କରିଛନ୍ତି। ସେମାନଙ୍କଠାରୁ ପ୍ରସ୍ତାବ ପାଇବା ପରେ ବୋର୍ଡ ପରୀକ୍ଷା ତାରିଖ ସ୍ଥିର କରିବା ପାଇଁ ହିତାଧିକାରୀଙ୍କ ସହ ପରାମର୍ଶ ଚାଲିଛି। ଯଦି ଛାତ୍ରଛାତ୍ରୀ ପରୀକ୍ଷା ପୂର୍ବରୁ କ୍ଲାସରେ ପ୍ରାକ୍ଟିକାଲ୍ କରିପାରିବେ ନାହିଁ, ତେବେ ପ୍ରାକ୍ଟିକାଲ୍ ପରୀକ୍ଷାର ବିକଳ୍ପ ଅନୁସନ୍ଧାନ କରାଯିବ। ନିୟମ ଅନୁଯାୟୀ ସିବିଏସ୍‌ଇ ପରୀକ୍ଷାରେ ଇଣ୍ଟରନାଲ ଚଏସ୍‌ ରହିବ। ହ୍ରାସ ହୋଇଥିବା ୩୦% ସିଲାବସ୍‌ ଅନୁଯାୟୀ, ସିବିଏସ୍ଇ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ। କେତେକ ରାଜ୍ୟ ମଧ୍ୟ ସମାନ ପଦକ୍ଷେପ ଘୋଷଣା କରିଥିବା ବେଳେ ଅନ୍ୟମାନେ ମଧ୍ୟ ତାହା କରିବେ ବୋଲି ମନ୍ତ୍ରୀ ଆଶାପୋଷଣ କରିଥିଲେ।

ଶିକ୍ଷକମାନଙ୍କ ପ୍ରଶ୍ନର ଉତ୍ତରରେ ସେ କହିଲେ, ଇଣ୍ଟରନେଟ୍‌ ଅଭାବ ହେତୁ ଦେଶର ଅନେକ ଦୁର୍ଗମ ଅଞ୍ଚଳର ଶିକ୍ଷକମାନେ ଶିକ୍ଷାଦାନ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଯେତେବେଳେ ଅନ୍‌ଲାଇନ୍‌ କ୍ଲାସ୍ ହେଉଛି, କାହିଁକି ଅନ୍‌ଲାଇନରେ ପରୀକ୍ଷା ହୋଇପାରିବ ନାହିଁ ବୋଲି ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଲେ, ସବୁ ପ୍ରକାର ସୁବିଧା ପରେ ବି କିଛି ଛାତ୍ରଛାତ୍ରୀ ଅଛନ୍ତି, ଯେଉଁମାନେ ଶିକ୍ଷା ଲାଗି ସମାନ ସୁବିଧା ପାଇ ନାହାନ୍ତି। ଯେତେବେଳେ ଆମେ ପିଲାଙ୍କୁ ଶିକ୍ଷା ଦେବା ପାଇଁ ଅନନ୍ୟ ପଦ୍ଧତି ବ୍ୟବହାର କରିଛୁ ସେତେବେଳେ ପରୀକ୍ଷା ପାଇଁ ଏପରି ପଦ୍ଧତି ରହିବା ଠିକ୍ ହୋଇ ନପାରେ। ଅନେକ ଦେଶ ଗୋଟିଏ ଶିକ୍ଷାବର୍ଷକୁ ବାତିଲ କରିଛନ୍ତି। କିନ୍ତୁ ଆମର ଶିକ୍ଷକମାନେ କଠିନ ପରିଶ୍ରମ ଜାରି ରଖିଛନ୍ତି। କୌଣସି ପ୍ରାର୍ଥୀଙ୍କୁ ସେମାନଙ୍କ ଶିକ୍ଷାବର୍ଷକୁ ନଷ୍ଟ କରିବାକୁ ଦେଇ ନାହାନ୍ତି। ଦେଶରେ ୩୩ କୋଟି ଛାତ୍ରଙ୍କୁ ତାଲିମ ଦେବା ପାଇଁ ଶିକ୍ଷକମାନେ କରୋନା ଯୋଦ୍ଧାଠାରୁ କମ୍ ନୁହଁନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର