ଗୋଦାବରୀରେ ଡଙ୍ଗାବୁଡ଼ି : ୪୦ ମୃତ ଆଶଙ୍କା

ରାଜମହେନ୍ଦ୍ରୀ : ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରୀରୁ କୋନ୍ଦାମାଣ୍ଡୁଲୁ ଯାଉଥିବା ଏକ ଯାତ୍ରୀବାହୀ ଡଙ୍ଗା ଗୋଦାବାରୀ ନଦୀରେ ଆଜି ସନ୍ଧ୍ୟାରେ ବୁଡ଼ିଯିବା ଫଳରେ ୪୦ରୁ ଉର୍ଦ୍ଧ୍ୱ ଲୋକ ନିଖୋଜ ହୋଇଯାଇଛନ୍ତି। ଦୀର୍ଘ ସମୟ ଧରି ଉଦ୍ଧାରକାର୍ଯ୍ୟ ଜାରି ରହିବା ସତ୍ତ୍ୱେ ନିଖୋଜ ଲୋକଙ୍କର କୌଣସି ପତ୍ତା ମିଳୁନଥିବାରୁ ସେମାନଙ୍କର ମୃତ୍ୟୁ ହୋଇଯାଇଥିବା ଆଶଙ୍କା କରାଯାଉଛି। ସ୍ଥାନୀୟ ଲୋକ ଓ ଉଦ୍ଧାରକାରୀ ଦଳଙ୍କ ସହାୟତାରେ ନିଖୋଜ ଯାତ୍ରୀଙ୍କ ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ଜଣାପଡ଼ିଛି। ଦୁର୍ଘଟଣା ଘଟିବା ସମୟରେ ଡଙ୍ଗାରେ ୫୦-୬୦ ଜଣ ଥିଲେ ବୋଲି କୁହାଯାଉଛି। ତେବେ ପ୍ରବଳ ପବନ ଯୋଗୁଁ ମଝି ନଦୀରେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ିଯିବା ପରେ କେବଳ ୧୦ ଜଣ ପହଁରି କୂଳକୁ ଆସିବାକୁ ସକ୍ଷମ ହୋଇଥିଲେ। ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଉଦ୍ଧାରକାର୍ଯ୍ୟକୁ ତ୍ୱରାନ୍ଵିତ କରିବା ପାଇଁ ପୂର୍ବ ଗୋଦାବରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ମିଳିଥିବା ଖବର ମୁତାବକ, ଆଜି ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାସ୍ଥିତ କୋନ୍ଦମାଣ୍ଡୁଲୁ ଗ୍ରାମର ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ ଲୋକେ ଡଙ୍ଗା ଯୋଗେ ଯାଉଥିଲେ। ଦେବୀପଟ୍ଟନମ ନିକଟସ୍ଥ ମଣ୍ଟୁର ନିକଟରେ ପ୍ରବଳ ପବନ ହେବାରୁ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା। ଆଜି ରାତି ତମାମ ସର୍ଚ୍ଚ ଅପରେସନ ଜାରି ରହିବ ବୋଲି ଜିଲ୍ଲା ପ୍ରଶାସନ ସୂତ୍ରରୁ ଖବର ମିଳିଛି । ଦୁର୍ଘଟଣା ଘଟିବା ପରେ ଲକ୍ଷ୍ମୀ ଭେଙ୍କଟେଶ୍ୱର ବୋଟ ସର୍ଭିସର ମାଲିକ ମହମ୍ମଦ ଖାଜା ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଯାତ୍ରୀଙ୍କ ପାଇଁ ଏହି ଡଙ୍ଗାରେ କୌଣସି ସୁରକ୍ଷା ବ୍ୟବସ୍ଥା ନଥିଲା ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର