ହ୍ରଦରେ ଓଲଟିଲା ଡିଜିପିଙ୍କୁ ନେଇ ଯାଉଥିବା ବୋଟ, ଅଳ୍ପକେ ଉଦ୍ଧାର ହେଲେ ଡିଜିପିଙ୍କ ସହ ବରିଷ୍ଠ ଆଇପିଏସ ଅଫିସର

ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଥିବା ବଡ ହ୍ରଦରେ ଆଜି ଏକ ଦୁର୍ଘଟଣା ଘଟିଛି | ଏହି ଦୁର୍ଘଟଣାରେ କେହି ଆହତ ହୋଇନଥିବାବେଳେ ଅଳ୍ପକେ ଡିଜିପିଙ୍କ ସହ ବରିଷ୍ଠ ଆଇପିଏସ ଅଫିସରମାନେ ବର୍ତ୍ତିଯାଇଛନ୍ତି | ମିଳିଥିବା ସୂଚନା ମୁତାବକ ଭୋପାଳରେ ଦୁଇ ଦିନ ଧରି ଆଇପିଏସ ଅଧିକାରୀମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହେଉଥିଲା | ଦୁଇ ଦିନ ଧରି ଚାଲିଥିବା ଏହି ସମ୍ମିଳନୀର ଆଜି ଶେଷ ଦିନ ଥିଲା | ସମ୍ମିଳନୀ ସରିବା ପରେ ବଡ ହ୍ରଦରେ ୱାଟର ସ୍ପୋର୍ଟ୍ସ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା |

Photo-ANI

ଆଇପିଏସ ଅଫିସରଙ୍କ ସହ ତାଙ୍କ ପତ୍ନୀ ଓ ପରିବାର ଏହି ନୌକା ଭ୍ରମଣ କାର୍ଯ୍ୟକ୍ରମରେ ଭାଗ ନେଉଥିଲେ | ଗୋଟିଏ ବୋଟରେ ମଧ୍ୟପ୍ରଦେଶ ପୁଲିସ ମୁଖ୍ୟ ବିକେ ସିଂ, ତାଙ୍କ ପତ୍ନୀ ତୁହିନ ସିଂ, ଆଇପିଏସ ଅଧିକାରୀ ରାଜେଶ ଚାୱଲା ତାଙ୍କ ପତ୍ନୀ ସୁନିତା ଚାୱଲା, ଏଡିଜି ବିଜୟ କାଟେରିଆଙ୍କ ସହ ତାଙ୍କ ପୁଅ ବୋଟରେ ବସି ହ୍ରଦରେ ବୁଲୁଥିଲେ | ବୋଟିଂ ବେଳେ ବୋଟଟି ହ୍ରଦରେ ଓଲଟି ପଡିଥିଲା | ପୁଲିସ ମୁଖ୍ୟଙ୍କ ସହ ବୋଟରେ ଥିବା ଅନ୍ୟମାନେ ପାଣିରେ ପଡିଯାଇଥିଲେ |

ଏହା ପରେ ଘଟଣାକୁ ନେଇ ଆଲୋଡନ ଖେଳିଯାଇଥିଲା | ସେଠାରେ ଉପସ୍ଥିତ ଥିବା ଗାର୍ଡସମାନେ ତୁରନ୍ତ ହ୍ରଦକୁ ଡେଇଁ ସେମାନଙ୍କୁ ବଞ୍ଚାଇଥିଲେ | ଏଠାରେ ସୂଚନା ଥାଉ କି ଗତବର୍ଷ ସେପ୍ଟେମ୍ବର ମାସରେ ଏହି ହ୍ରଦରେ ଗଣେଶ ଚତୁର୍ଦ୍ଦଶୀ ଦିନ ବିସର୍ଜନ ବେଳେ ବୋଟ ଓଲଟି ୧୧ ଜଣ ଯୁବକଙ୍କ ମୃତ୍ୟୁ ହୋଇଯାଇଥିଲା |

ସମ୍ବନ୍ଧିତ ଖବର