ଯମୁନାରେ ବୁଡିଗଲା ଡଙ୍ଗା : ୪ ଜଣଙ୍କର ମୃତଦେହ ଉଦ୍ଧାର, ମୃତକଙ୍କ ସଂଖ୍ୟା ବଢିବା ଆଶଙ୍କା

ବାନ୍ଦା: ଆଜି ଅପରାହ୍ନରେ ଉତ୍ତରପ୍ରଦେଶର ବାନ୍ଦାଠାରେ ଏକ ବଡ଼ଧରଣର ନୌକା ଦୁର୍ଘଟଣା ଘଟିଯାଇଛି | ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ବହୁ ସଂଖ୍ୟାରେ ଯାତ୍ରୀ ନିଖୋଜ ଥିବାରୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି | ମିଳିଥିବା ସୂଚନା ମୁତାବକ ମର୍କା ପୁଲିସ ଷ୍ଟେସନ ଅନ୍ତର୍ଗତ ବାନ୍ଦାରେ ଯମୁନା ନଦୀ ମଝିରେ ଯାତ୍ରୀଙ୍କ ଧରି ଯାଉଥିବା ନୌକା ବୁଡ଼ିଯାଇଥିଲା | ଏଥିରେ ୩୦ରୁ ଅଧିକ ଲୋକ ଥିବାବେଳେ ମାତ୍ର ୮ ଜଣଙ୍କୁ ଉଦ୍ଧାର କରାଯାଇଛି | ସେହିପରି ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଅନ୍ୟମାନେ ନିଖୋଜ ଅଛନ୍ତି | ନିଖୋଜଙ୍କୁ ଉଦ୍ଧାର କରିବା ପାଇଁ ଏସଡ଼ିଆରଏଫ ସହ ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି |

କୁହାଯାଉଛି ଯେ ରକ୍ଷାବନ୍ଧନ ଯୋଗୁଁ ବହୁ ସଂଖ୍ୟାରେ ମହିଳା ଓ ଶିଶୁ ଡଙ୍ଗାରେ ନଦୀ ପାର ହେଉଥିଲେ। ଆଉ ମର୍କାଠାରୁ ଫତେହପୁର ଓ ପ୍ରୟାଗରାଜ ଯିବା ପାଇଁ ଲୋକମାନଙ୍କୁ ଯମୁନା ନଦୀ ହିଁ ପାର ହେବାକୁ ପଡିଥାଏ । ଏଥିପାଇଁ ଡଙ୍ଗା ହିଁ ପରିବହନର ମୁଖ୍ୟ ମାଧ୍ୟମ ପାଲଟିଥାଏ |

ଆଜି ଅପରାହ୍ନ ପ୍ରାୟ ୨.୩୦ ସମୟରେ ମର୍କାରୁ ଏକ ଡଙ୍ଗାରେ ୩୦ରୁ ଅଧିକ ଲୋକ ଫତେହପୁର ଅଭିମୁଖେ ଯାଉଥିଲେ। ତେବେ ଡଙ୍ଗାଟି ମଝି ନଦୀରେ ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା | ପୁଲିସ ଅଧୀକ୍ଷକ ଅଭିନନ୍ଦନ କହିଛନ୍ତି ଯେ ପ୍ରାୟ ୩୦-୩୫ ଜଣ ଲୋକଙ୍କୁ ନେଇ ଡଙ୍ଗା ଫତେହପୁର ଜିଲ୍ଲାର ଜାରୁଲି ଘାଟକୁ ଯାଉଥିବାବେଳେ ଏହି ଅଘଟଣ ଘଟିଥିଲା । ଏହି ଘଟଣା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବରିଷ୍ଠ ଅଧିକାରୀମାନଙ୍କୁ ଘଟଣାସ୍ଥଳକୁ ପଠାଇଥିବାବେଳେ ଉଦ୍ଧାର କାର୍ଯ୍ୟ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି |

ସମ୍ବନ୍ଧିତ ଖବର