ନୀଳନଦୀରେ ଡଙ୍ଗା ବୁଡି ୨୨ ସ୍କୁଲ ପିଲା ମୃତ

କାଇରୋ : ଆଫ୍ରିକୀୟ ଦେଶ ସୁଦାନଦେଇ ବୋହିଯାଇଥିବା ନୀଳ ନଦୀରେ ଏକ ଡଙ୍ଗାବୁଡ଼ିଯିବାରୁ ସେଥିରେ ଯାଉଥିବା ପ୍ରାୟ ୨୨ ଜଣ ପିଲା ଓ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ସୁଦାନର ସମ୍ବାଦ ସରବରାହ ସଂସ୍ଥା ସୁନା ପକ୍ଷରୁ କୁହାଯାଇଛି ଯେ ରାଜଧାନୀ ଖାର୍ଟୋମଠାରୁ ୭୫୦ କିଲୋମିଟର ଦକ୍ଷିଣରେ ଥିବା ବେହେର ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି । ବୁଡ଼ିଯାଇଥିବା ଡଙ୍ଗାରେ ପ୍ରାୟ ୪୦ ଜଣ ପିଲା ଥିଲେ । ସେମାନେ ସ୍କୁଲକୁ ଯାଉଥିଲେ । ପ୍ରବଳ ବର୍ଷା ଓ ପବନ ଯୋଗୁଁ ଉକ୍ତ ବୋଟର ଇଂଜିନ ଖରାପ ହୋଇଯାଇଥିଲା । ଉଦ୍ଧାରକର୍ମୀମାନେ ଏବେ ଉଦ୍ଧାରକାର୍ଯ୍ୟ ଚଳାଇବା ସହ ନିଖୋଜ ପିଲାମାନଙ୍କୁ ଖୋଜୁଛନ୍ତି । ସୁଦାନରେ ସାଧାରଣତଃ ଜୁନରୁ ନଭେମ୍ବର ପର୍ଯ୍ୟନ୍ତ ବର୍ଷା ହୋଇଥାଏ । ଏବର୍ଷ ପ୍ରବଳ ବର୍ଷା ଯୋଗୁଁ ନୀଳ ନଦୀରେ ବନ୍ୟା ଆସିଛି । ନୀଳ ନଦୀର ଦୁଇଟି ପ୍ରମୁଖ ଉପନଦୀ ହ୍ଵାଇଟ ନାଇଲ ଓ ବ୍ଲୁ ନାଇଲ ସୁଦାନର ରାଜଧାନୀ ନିକଟରେ ହିଁ ମିଶି ନୀଳନଦୀ ସୃଷ୍ଟି କରିଛନ୍ତି ।

ସମ୍ବନ୍ଧିତ ଖବର