ଆସାମର ବ୍ରହ୍ମପୁତ୍ର ନଦୀରେ ଡଙ୍ଗା ଓଲଟି ବରିଷ୍ଠ ଜିଲ୍ଲା ଅଧିକାରୀ ଓ ସ୍କୁଲ୍‌ ପିଲାଙ୍କ ସମେତ ଅନେକ ନିଖୋଜ

ଧୁବ୍ରୀ: ଆଜି ଆସାମର ଧୁବ୍ରୀ ଜିଲ୍ଲା ଦେଇ ପ୍ରବାହିତ ବ୍ରହ୍ମପୁତ୍ର ନଦୀରେ ଗୋଟାଏ ଡଙ୍ଗା ଓଲଟି ପଡ଼ିବାରୁ ଜଣେ ସରକାରୀ ଅଧିକାରୀ ଏବଂ କିଛି ସ୍କୁଲ୍‌ ପିଲାଙ୍କ ସମେତ ଆହୁରି କିଛି ଯାତ୍ରୀ ନିଖୋଜ ହୋଇଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

୧୦୦ଜଣ ଯାତ୍ରୀ ଥିବା ଉକ୍ତ ଡଙ୍ଗାରେ ୧୦ଟି ମୋଟର୍‌ସାଇକେଲ୍‌ ବୋଝେଇ କରାଯାଇଥିଲା ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ଭାଶାନି ଅଭିମୁଖେ ଯାଉଥିବା ଉକ୍ତ ଡଙ୍ଗାଟି ଧୁବ୍ରୀ ନଗରୀଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ଅଦାବାରି ସେତୁ ଖୁଣ୍ଟରେ ଧକ୍କା ଖାଇ ଓଲଟି ପଡ଼ିଛି ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି। ଏଯାବତ୍‌ ୧୫ଜଣଙ୍କୁ ଉଦ୍ଧାର କରାଯାଇଛି ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି।

Image Courtesy of ANI

ଡଙ୍ଗାରେ ଯାଉଥିବା ସ୍କୁଲ୍‌ ପିଲାଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ କାହାରିକୁ ଉଦ୍ଧାର କରାଯାଇନାହିଁ ବୋଲି ସେ କହିଛନ୍ତି।

ସେହି ଡଙ୍ଗାରେ ମୃତ୍ତିକା କ୍ଷୟ ହୋଇଥିବା ଅଞ୍ଚଳରେ ସର୍ଭେ କରିବାକୁ ଜଣେ ଜମି ରେକର୍ଡ କର୍ମଚାରୀ ଓ ଜଣେ ଅଫିସ କର୍ମଚାରୀଙ୍କୁ ନେଇ ଧୁବ୍ରୀ ସର୍କଲ୍‌ ଅଫିସର୍‌ ସଞ୍ଜୁ ଦାସ ଯାତ୍ରା କରୁଥିଲେ। ଶ୍ରୀ ଦାସ ନିଖୋଜ ଥିବା ବେଳେ ଅନ୍ୟ ଦୁଇଜଣ ପହଁରି ପହଁରି କୂଳକୁ ଉଠି ଆସିଛନ୍ତି। ଡିଙ୍ଗି ନେଇ ସ୍ଥାନୀୟ ଲୋକେ ଉଦ୍ଧାର ଅଭିଯାନ ଚଳାଇଛନ୍ତି।

ଉଦ୍ଧାର କାର୍ଯ୍ୟରେ ‘ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବଳ’ର ବୁଡ଼ାଳିମାନଙ୍କୁ ମଧ୍ୟ ମୁତୟନ କରାଯାଇଥିବା କଥା ଗୌହାଟୀରେ ଆଉ ଜଣେ ସରକାରୀ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର