ମହାମାରୀର ଭୟଙ୍କର ରୂପ, ଗଙ୍ଗା ନଦୀରେ ଭାସୁଛି କରୋନା ପୀଡ଼ିତଙ୍କ ମୃତଦେହ

ବକ୍ସର : କରୋନା ମହାମାରୀର ଏକ ଭୟଙ୍କର ରୂପ ଦେଖିବାକୁ ମିଳିଛି ଗଙ୍ଗା କୂଳରେ ଥିବା ବିହାରର ବକ୍ସର ଜିଲ୍ଲାରେ । ଜିଲ୍ଲାରେ ଥିବା ବିଭିନ୍ନ ଗଙ୍ଗା ଘାଟରେ ଅନେକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ଏହା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯ଼ାଇଛି ।

ମିଳିଥିବା ସୂଚନା ଅନୁସାରେ ବକ୍ସରର ଚୌସା ଟାଉନରେ ଥିବା ଗଙ୍ଗାନଦୀ କୂଳରେ ଆଜି ସକାଳୁ ଅନେକ ଗଳିତ ମୃତଦେହ ଭାସୁଥିବାରୁ ସ୍ଥାନୀୟ ଲୋକେ ଦେଖିବା ପରେ ପ୍ରଶାସନକୁ ଖବର ଦେଇଥିଲେ । ମୃତଦେହଗୁଡ଼ିକର ସଂଖ୍ୟା ୧୦୦ରୁ ଅଧିକ ହେବ ବୋଲି କୁହାଯ଼ାଉଛି । ଏହାପରେ ପ୍ରଶାସନ ପକ୍ଷରୁ ଘଟଣାସ୍ଥଳରେ ପହଞ୍ଚିବା ପରେ ତଦନ୍ତ ଆରମ୍ଭ ହୋଇଛି । ଏହି ମୃତଦେହଗୁଡ଼ିକ ସ୍ଥାନୀୟ ଲୋକଙ୍କର ନୁହେଁ ବୋଲି ଜଣାପଡ଼ିଛି । ଏଗୁଡ଼ିକ ମୁଖ୍ୟତଃ ଉତ୍ତରପ୍ରଦେଶରୁ ଭାସିଆସିଥିବା ସଂଦେହ କରାଯ଼ାଉଛି । କରୋନା ମହାମାରୀଯ଼ୋଗୁଁ ଶ୍ମଶାନରେ ଲୋକମାନଙ୍କ ଶବ ସତ୍କାର କରିବା କଷ୍ଟକର ହେଉଥିବାରୁ ଲୋକମାନେ ମୃତଦେହଗୁଡ଼ିକୁ ଗଙ୍ଗାରେ ଫିଙ୍ଗିଦେଇଥିବା ଅନୁମାନକରାଯ଼ାଉଛି । ତେବେ ଏ ନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଚୌସାର ଜଣେ ପ୍ରଶାସନିକ ଅଧିକାରୀ ଅଶୋକ କୁମାର କହିଛନ୍ତି । ତେବେ ପ୍ରାୟ ୪୦ରୁ ୫୦ଟି ମୃତଦେହ ଥିବା ସେ କହିଛନ୍ତି । ଏହି ମୃତଦେହଗୁଡ଼ିକ ଗତ କିଛି ଦିନ ହେଲା ଭାସୁଥିବାରୁ ଗଳିତ ହୋଇଯ଼ାଇଥିବା କୁହାଯ଼ାଉଛି । ଏହି ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ଖେଳାଇଦେଇଛି ।

ସମ୍ବନ୍ଧିତ ଖବର