‘ବଡି କ୍ୟାମେରା’ରେ ହେବ ଟ୍ରାଫିକ୍‌ ଉଲ୍ଲଂଘନର ତଦାରଖ, ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୭ ସହର

ନୂଆଦିଲ୍ଲୀ : ଓଡ଼ିଶାର ୭ ସହରରେ ପୋଲିସ ଏବଂ ପରିବହନ ବିଭାଗ ଯାତାୟାତ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଡିଜିଟାଲ୍‌ ଉପକରଣ ସାହାଯ୍ୟରେ ଅଙ୍କୁଶ ଲଗାଇବେ। ଏହି ସାତଟି ସହର ହେଲା –ଅନୁଗୁଳ, ବାଲେଶ୍ବର , ଭୁବନେଶ୍ବର ,କଟକ, ରାଉରକେଲା, ତାଳଚେର ଓ କଳିଙ୍ଗନଗର। ଉପରୋକ୍ତ ସହରର ଛକମାନଙ୍କରେ ଡିଜିଟାଲ ଉପକରଣ ଲଗାଯିବ। କେବଳ ସେତିକି ନୁହେଁ, ସଡ଼କରେ ମୁତୟନ ହୋଇଥିବା ଟ୍ରାଫିକ ପୁଲିସ ବଡି କ୍ୟାମେରାରେ ସକ୍ରିୟ ରହିବେ। ଯାହା ଦ୍ବାରା ନିୟମ ଉଲ୍ଲଂଘନକାରୀଙ୍କୁ ତୁରନ୍ତ ଚିହ୍ନଟ କରାଯାଇପାରିବ।

କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ଦ୍ବାରା ସଡ଼କ ସୁରକ୍ଷା ଇଲେକ୍ଟ୍ରୋନିକ୍‌ ବ୍ୟବସ୍ଥାରେ ତଦାରଖ ସମ୍ବନ୍ଧୀୟ ଗେଜେଟ୍‌ ବିଜ୍ଞପ୍ତି ରାଜ୍ୟମାନଙ୍କ ପାଇଁ ଜାରି କରିଛନ୍ତି। ଟ୍ରାଫିକ୍‌ ପୋଲିସର ବଡି କ୍ୟାମେରାର ଭିଡିଓ ଅଡିଓ ରେକର୍ଡିଂ ଅଦାଲତରେ ପ୍ରମାଣ ସ୍ବରୂପ ଉପସ୍ଥାପନ କରାଯିବ। ରାଜମାର୍ଗଗୁଡ଼ିକରେ ବଟି ଆଦାୟ କରୁ୍ଥିବା ପରିବହନ ବିଭାଗର ଭ୍ରଷ୍ଟ ଅଧିକାରୀମାନଙ୍କ ଉପରେ ମଧ୍ୟ ଏହା ଦ୍ବାରା ଅଙ୍କୁଶ ଲାଗିବ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସିସିଟିଭି କ୍ୟାମେରା ଜରିଆରେ ସହରମାନଙ୍କରେ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲାର ଅପରାଧୀମାନଙ୍କୁ ମଧ୍ୟ କାବୁ କରାଯାଇପାରିବ। ନୂଆ ବ୍ୟବସ୍ଥା ଅନୁସାରେ ପୋଲିସ ଓ ପରିବହନ ବିଭାଗ ବାହନଗୁଡ଼ିକର ଡ୍ୟାସବୋର୍ଡରେ ସିସିଟିଭି କ୍ୟାମେରା ଲାଗିବ। ଏଥିସହିତ ସ୍ପିଡ୍‌ ଗନ, ୱେ ଇନ ମୋସନ ଏବଂ ଅନ୍ୟାନ୍ୟ ଡିଜିଟାଲ୍‌ ଉପକରଣ ଲଗାଯିବ। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୭ଟି ସହର ସମେତ ଦେଶର ୧୩୨ଟି ସହରରେ ଡିଜିଟାଲ ଉପକରଣ ଲଗାଯିବ।

ସମ୍ବନ୍ଧିତ ଖବର