୨ ଦିନ ଧରି ନିଖୋଜ ଥିବା ତାମିଲନାଡୁ କଂଗ୍ରେସ ନେତାଙ୍କ ମୃତଦେହ ମିଳିଲା

ଚେନ୍ନାଇ: ଦୁଇ ଦିନ ଧରି ନିଖୋଜ ଥିବା ତାମିଲନାଡୁ କଂଗ୍ରେସ ଜିଲ୍ଲା ସଭାପତି କେପିକେ ଜୟକୁମାରଙ୍କ ମୃତଦେହ ତିରୁନେଲଭେଲିରେ ଉଦ୍ଧାର କରାଯାଇଛି। ସେ ସେଠାରେ ଜିଲ୍ଲା ସଭାପତି ଥିଲେ। ଜୟକୁମାରଙ୍କ ପୁଅ ଗତକାଲି ସେ ନିଖୋଜ ଥିବା ନେଇ ପୁଲିସକୁ ଜଣାଇଥିଲେ।

ପୁଲିସ ସେମାନଙ୍କୁ ଖୋଜିବାରେ ଲାଗିଥିଲେ ହେଁ ହଠାତ୍ କଂଗ୍ରେସ ଜିଲ୍ଲା ସଭାପତିଙ୍କ ମୃତଦେହ ତାଙ୍କ ନିଜ ଜମିରୁ ମିଳିଥିଲା। ପୁଲିସ ମୃତଦେହ ନିକଟରୁ କେପିକେ ଜୟକୁମାରଙ୍କ ଏକ ଲିଖିତ ଚିଠି ପାଇଛି ଏବଂ ପ୍ରାଥମିକ ଦୃଷ୍ଟିରୁ ଏହା ତାଙ୍କ ହସ୍ତାକ୍ଷର ବୋଲି ଜଣାପଡିଛି। ଘଟଣାର ତଦନ୍ତ ପାଇଁ ୩ଟି ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି ବୋଲି ଏସପି କହିଛନ୍ତି।

କଂଗ୍ରେସର ଜିଲ୍ଲା ସଭାପତି ନିଖୋଜ ହେବା ପରେ ତାଙ୍କ ମୃତ୍ୟୁ ଖବର ରାଜନୈତିକ ରୂପ ନେଇଛି। ଏଆଇଏଡିଏମକେ ମୁଖ୍ୟ ଇପିଏସ୍ ଏହାକୁ ଆଇନ ଶୃଙ୍ଖଳା ଖରାପ ହେବାର ଚରମ ପରିସ୍ଥିତ ବୋଲି କହିବା ସହ ଦାୟୀ ବ୍ୟକ୍ତିଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ତେବେ କଂଗ୍ରେସ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ସୂଚନାଯୋଗ୍ୟ ଯେ, ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ତାମିଲନାଡୁର ଶାସକ ଡିଏମକେ ସହ ମେଣ୍ଟ କରିଥିଲା। ଦୁହେଁ ଏକାଠି ନିର୍ବାଚନ ଲଢ଼ିଥିଲେ। ଏବେ କଂଗ୍ରେସର ଜିଲ୍ଲା ସଭାପତିଙ୍କ ଦେହାନ୍ତ ଏହି ମେଣ୍ଟ ଉପରେ ମଧ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟରେ ତାମିଲନାଡୁର ସମସ୍ତ ୩୯ଟି ଆସନରେ ମତଦାନ ହୋଇଛି।

ସମ୍ବନ୍ଧିତ ଖବର