ମାନାମା ବାହାରିନ : ଓଡ଼ିଆ ନୌବାଣିଜ୍ୟର ଗୌରବମୟ ପରମ୍ପରାର ସ୍ମୃତିସ୍ୱରୂପ ବୋଇତ ବନ୍ଦାଣ ଉତ୍ସବ ପାରମ୍ପରିକ ରୀତିନୀତିରେ ବାହାରିନ୍ ଓଡ଼ିଆ ସମାଜ ପକ୍ଷରୁ ପାଳିତ ହୋଇଯାଇଛି। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବାହାରିନ୍ ଓଡ଼ିଆ ସାମାଜର ପ୍ରତିଷ୍ଠାତା ସଭାପତି ଡ. ଅରୁଣ କୁମାର ପ୍ରହରାଜଙ୍କ ନେତୃତ୍ୱରେ ପ୍ରବାସୀ ଓଡ଼ିଆ ଭାଇଭଉଣୀମାନେ ଆନନ୍ଦ ଉଲ୍ଲାସର ସହ ଆ-କା-ମା ବୈ ଲୋକଗୀତ ସହ କୋଣାର୍କ ଚକ୍ର, ଭାରତୀୟ ଜାତୀୟ ପତାକା, ପାନ ଗୁଆ, କଦଳୀପତ୍ର, ପୁଷ୍ପ ଓ ଆଲୋକରେ ସୁଶୋଭିତ ସ୍ମାରକ ବୋଇତକୁ ଆରବ ସାଗରରେ ବନ୍ଦନା କରିଛନ୍ତି। ଶ୍ରଦ୍ଧାଳୁମାନେ ମାନମାସ୍ଥିତ ଦୁଇଶହ ବର୍ଷ ପୁରାତନ ଶ୍ରୀନାଥଜୀ ମନ୍ଦିର ଦର୍ଶନ କରିଥିଲେ। ଭାରତ ସ୍ବାଧୀନତାର ଅମୃତ ମହୋତ୍ସବ ଓ ଭାରତ ବାହାରିନ୍ କୂଟନୈତିକ ସମ୍ପର୍କର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଏହି କାର୍ଯ୍ୟକ୍ରମକୁ ବିଶେଷ ଆନନ୍ଦ ଉଲ୍ଲାସ ସହ ବାହାରିନ ଓଡ଼ିଆ ସମାଜ ପାଳନ କରିଥିଲେ। ଏହିପରି ଏକ ସାଂସ୍କୃତିକ ସ୍ୱାଧୀନତା ଦେଇଥିବାରୁ ବାହାରିନ୍ ଓଡ଼ିଆ ସମାଜ ପକ୍ଷରୁ ଡ. ପ୍ରହରାଜ ଭାରତୀୟ ଦୂତାବାସ, ବାହାରିନ୍ ସରକାରଙ୍କ ସମେତ ସ୍ଥାନୀୟ ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ରମେଶ ପାଣିଗ୍ରାହୀ, ନୃସିଂହଚରଣ ନାୟକ, ସୁଧେନ୍ଦୁ ଦାସ, ସୂବ୍ରତ ବଡ଼ପଣ୍ଡା, ସିଦ୍ଦାର୍ଥ ସାହୁ, ଦେବାଶିଷ ମିଶ୍ର, ତାପସ ରଂଜନ ସାର, ଧୀରେନ ଦାସ, ପ୍ରଭାତ ସ୍ବାଇଁ, ହିମାଂଶୁ ତଲଡି ପ୍ରମୁଖ ଉପସ୍ଥିତ ଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp