ନେଦରଲ୍ୟାଣ୍ଡର ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ବୋଇତ ବନ୍ଦାଣ ଉତ୍ସବ

ଆମଷ୍ଟରଡମ୍‌ : ପ୍ରବାସୀ ଓଡ଼ିଆ ସଂଗଠନ ଓଡ଼ିଆ ସୋସିଓ କଲ୍ଚରାଲ୍‌ ଆସୋସିଏସନ୍ ନେଦରଲ୍ୟାଣ୍ଡ (ଓସକାନ୍‌) ପକ୍ଷରୁ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ନେଦରଲ୍ୟାଣ୍ଡ୍‌ ଆଲମେରେ ନଗରର ଦେ ରୁଇମତେ ସଭାଗୃହ‌ରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ନେଦରଲ୍ୟାଣ୍ଡର ବିଭିନ୍ନ ଅଞ୍ଚଳରେ ରହୁଥିବା ଶତାଧିକ ଓଡ଼ିଆ ଓ ଅଣଓଡ଼ିଆ ଜନସାଧାରଣ ପରିବାର ଓ ବନ୍ଧୁପରିଜନଙ୍କ ସହ ସାମିଲ ହୋଇଥିଲେ। ଏହି ଉପଲକ୍ଷେ ଉତ୍ସବ ସ୍ଥଳକୁ ସମ୍ବଲପୁରୀ ବସ୍ତ୍ର ଓ ଓଢ଼ଣୀ, ରଙ୍ଗବେରଙ୍ଗର ପିପିଲି ଚାନ୍ଦୁଆ ଯୁକ୍ତ ଆଲୋକ ଏବଂ ବିଭିନ୍ନ କିସମର କାଗଜ ଡଙ୍ଗା‌‌ରେ ବେଶ୍‌ ସୁନ୍ଦର ଓ ଆକର୍ଷଣୀୟ ଢଙ୍ଗରେ ସଜା ଯାଇଥିଲା। ଏଥିରେ କ୍ୱାଲିଟି ଫର୍‌ ଲାଇଫ୍‌ର ପ୍ରତିଷ୍ଠାତା ଲେଳିତା ବିନ୍ଦ୍ରାବନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ନେଦରଲ୍ୟାଣ୍ଡରେ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ପ୍ରଚାରପ୍ରସାର କରିବା ପାଇଁ ଓସକାନ୍‌ ଅହରହ ପ୍ରୟାସ କରୁଥିବାରୁ ଏହାର ଭୂୟସୀ ପ୍ରଶଂସା କରିଥିଲେ। ୱାର୍ଲଡ୍ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ ତାଙ୍କର ଶୁଭେଚ୍ଛା ବାର୍ତ୍ତାରେ ବ୍ରାଣ୍ଡ ଓଡ଼ିଶାର ମହତ୍ତ୍ୱ ଓ ମହନୀୟତାକୁ ସମଗ୍ର ୟୁରୋପରେ ଲୋକପ୍ରିୟ କରିବା ପାଇଁ ଓସକାନ୍ ଚେଷ୍ଟିତ ଥିବାରୁ ଏହାର ନେତୃବୃନ୍ଦଙ୍କୁ ସାଧୁବାଦ ଜଣାଇଥିଲେ।

ଏହି ଅବସରରେ ନେଦରଲ୍ୟାଣ୍ଡର କେନାଲ ଘାଟରେ ‘ଆ, କା, ମା, ବୈ…’ ଉଚ୍ଚାରଣ କରାଯିବା ସହ ଉପସ୍ଥିତ ମହିଳାମାନଙ୍କ ଦ୍ୱାରା ବୋଇତ ବନ୍ଦାଣ କାର୍ଯ୍ୟ ସଂପନ୍ନ କରାଯାଇଥିଲା। ଏହାସହ ଓସକାନ୍‌ର ସଦସ୍ୟମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ଓସକାନ୍‌ର ସଭାପତି ଶାଶ୍ୱତ ପାଢ଼ୀ, ସୁଶୀଲ ଦାସ ମହାପାତ୍ର, ଅଂଶୁମାନ ମିଶ୍ର, ପରିତୋଷ ମହାପାତ୍ର, ନୀଳମାଧବ ମିଶ୍ର, ସୋମନାଥ ଲେଙ୍କା, ଲୋପାମୁଦ୍ରା ନାୟକ, ଦୀପକ ପରିଡ଼ା, ଦେବଦତ୍ତ ଦାସ, ଅରବିନ୍ଦ ଘଡ଼ାଇ, ଲିଓଶ୍ରୀ ମହାପାତ୍ର ଏବଂ ଶୁଭେନ୍ଦୁ ଆଚାର୍ଯ୍ୟ ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର