ବିଶିଷ୍ଟ ହିନ୍ଦୀ ଓ ମରାଠି ଚଳଚ୍ଚିତ୍ର ଅଭିନେତା ‘କାଲିଆ’ଙ୍କ ପରଲୋକ, ବଲିଉଡ୍‌ରେ ଖେଲିଯାଇଛି ଶୋକର ଛ‌ାୟା

ମୁମ୍ବାଇ: ବିଶିଷ୍ଟ ହିନ୍ଦୀ ଓ ମରାଠି ଚଳଚ୍ଚିତ୍ର ଅଭିନେତା ବିଜୁ ଖୋଟେଙ୍କର ଆଜି ପରଲୋକ ‌ହୋଇଯାଇଛି। ଶରୀରର ଏକାଧିକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଅଚଳ ହୋଇଯିବାରୁ ତାଙ୍କର ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା। ଖୋଟେ ବଲିଉଡ୍‌ର ଜଣେ ଲୋକପ୍ରିୟ ଅଭିନେତା ସାଙ୍ଗକୁ ସମସ୍ତଙ୍କର ପ୍ରିୟ ଥିଲେ। ଦୀର୍ଘ ଛଅ ଦଶନ୍ଧି ଧରି ପାଖାପାଖି ୩୦୦ରୁ ଊର୍ଦ୍ଧ୍ବ ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି। ‌ତେବେ ଲୋକପ୍ରିୟ ଚଳଚ୍ଚିତ୍ର ‘ସୋଲେ’ରେ କାଳିଆ ଚରିତ୍ରରେ ଅଭିୟନ କରି ବେଶ୍ ଲୋକପ୍ରିୟତା ହାସଲ କରିଥିଲେ। ଏଥିସହିତ ‘ଅନ୍ଦାଜ୍‌ ଅପ୍‌ନା ଅପ୍‌ନା’ରେ ରୋବଟ୍‌ ଭୂମିକାରେ ଅଭିନୟ କରି ସେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରି ପାରିଥିଲେ। ଆଜି ତାଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ବଲିଉଡ୍‌ର ବହୁ ଅଭିନେତା, ଅଭିନେତ୍ରୀ ଉପସ୍ଥିତ ରହି ସ୍ବର୍ଗତଃ ଆତ୍ମାର ସଦ୍‌ଗତି କାମନା କରିଥିଲେ। ବଲିଉଡ୍‌ ଅଭିନେତା ଋଷି କପୁର ନିଜ ଟ୍ବିଟର୍‌ କରି ଉଲ୍ଲେଖ କରିଛନ୍ତି, ‘ବିଜୁ ଖୋଟେଜି, ଆମେ ସମସ୍ତେ ଆପଣଙ୍କୁ ହରାଇ ମର୍ମାହତ।’ ଋଷି କପୁର୍‌ ଯୂବକ ଥିବା ସମୟରେ ଗୋଟିଏ ବାଇକ୍‌ରେ ବିଜୁ ଖୋଟେ ଏବଂ ତାଙ୍କ ଭଉଣୀଙ୍କ ସହ ବସି ଯିବା ବେଳର ସ୍ମୃତି ଅବର୍ଣ୍ଣନୀୟ ବୋଲି ଋଷି କପୁର ନିଜ ଟ୍ବିଟରରେ ଲେଖିଛନ୍ତି। ସେହିଭଳି ବଲିଉଡ୍‌ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ୍‌, ସୁନୀଲ୍‌ ସେଟ୍ଟୀ, ଅଜୟ ଦେବଗନ୍‌, ଅଭିଷେକ ବଚ୍ଚନଙ୍କ ଭଳି ବଲିଉଡ୍‌ର ବହୁ ଅଭିନେତା ବିଜୁ ଖୋଟେଙ୍କ ପରଲୋକରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର