ପରଲୋକରେ ସରୋଜ ଖାନ୍‌

କଅଁଳ ବୟସରେ ଯେବେ ସେ ସଳଖ ହୋଇ ଛିଡ଼ା ହୋଇପାରୁ ନଥିଲେ, ସେଇ ବୟସରେ ତାଙ୍କ ପାଦ କଥା କହିବା ଆରମ୍ଭ କଲା। ମାତ୍ର ୩ ବର୍ଷ ବୟସରେ ସେ ସାଜିଲେ ନୃତ୍ୟାଙ୍ଗନା। ସେବେଠୁ ସେଇ ନୃତ୍ୟ ଏମିତି ରଙ୍ଗ ଲଗେଇଲା ଯେ ନା ନୃତ୍ୟ ତାଙ୍କୁ ଛାଡ଼ିପାରିଲା ‌ନା ସେ ନୃତ୍ୟକୁ। ଶ୍ରୀଦେବୀ ଓ ମାଧୁରୀଙ୍କ ଆଖିରେ ମନମତାଣିଆ ଠାଣି ଭରି ଏମିତି ମୋହିନୀ ମନ୍ତ୍ର ବୁଣିଲେ ଯେ ସବୁବେଳେ ଖୋଜା ପଡ଼ିଲା ଗୋଟିଏ ନାଁ’ ସରୋଜ ଖାନ୍‌। ୪ ଦଶନ୍ଧିର ଯାତ୍ରା। ୨ ହଜାରରୁ ଊର୍ଧ୍ବ ଗୀତରେ ନୃତ୍ୟରେ ତାଙ୍କ ଚିତ୍ତାକର୍ଷକ ନିର୍ଦେଶନା ତାଙ୍କୁ କାଳଜୟୀ କରିଦେଲା। ସେ ପାଲଟି ଗଲେ ସବୁ ତାରାକାଙ୍କ ‘ମାଷ୍ଟର ଜୀ’। ଯେ ପର୍ଯ୍ୟନ୍ତ ତାଙ୍କ ନିର୍ଦ୍ଦେଶିତ ନୃତ୍ୟ ଦର୍ଶକଙ୍କ ହୃଦୟରେ ଅଛି, ସେପର୍ଯ୍ୟନ୍ତ ସରୋଜ ଖାନ୍‌ ବି ଲୋକଙ୍କ ହୃଦୟରେ ରାଜ୍‌ କରୁଥିବେ।

ମୁମ୍ବାଇ : ପ୍ରଥିତଯଶା ନୃତ୍ୟ ସଂଯୋଜକ ସରୋଜ ଖାନ୍‌ଙ୍କର ୭୧ବର୍ଷ ବୟସରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। କିଛି ଦିନ ହେଲା ସେ ଅସୁସ୍ଥ ଥିବାରୁ ତାଙ୍କୁ ବାନ୍ଦ୍ରାସ୍ଥିତ ଗୁରୁ ନାନକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗୁରୁବାର ରାତିରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା। ରାତି ୧ଟା ୫୨ରେ ତାଙ୍କର ମୃତ୍ୟୁ ହୋଇଥିଲା। ସରୋଜଙ୍କ ମୃତ୍ୟୁ ଖବର ପ୍ରଚାର ହେବା କ୍ଷଣି ବହୁ ଦିଗ୍‌ଗଜ କଳାକାର ତାଙ୍କ ସହ ସ୍ମୃତିକୁ ସୋସିଆଲ ମିଡିଆରେ ସେୟାର କରି ଶ୍ରଦ୍ଧାଞ୍ଜଳି ବ୍ୟକ୍ତ କରିଛନ୍ତି। ବହୁ ଲୋକପ୍ରିୟ ଗୀତରେ ନୃତ୍ୟ ନିର୍ଦେଶନା ଦେଇଥିବା ସରୋଜ ୨ ହଜାରରୁ ଅଧିକ ଗୀତରେ ନୃତ୍ୟର ଛାପ ଛାଡ଼ିଛନ୍ତି।

୧୯୪୮ ମସିହା ନଭେମ୍ବର ୨୨ରେ ମୁମ୍ବାଇରେ ଜନ୍ମିତ ସରୋଜଙ୍କ ଅସଲ ନାମ ଥିଲା ନିର୍ମଳା ନାଗପାଲ। ଭାରତ ପାକିସ୍ତାନ ବିଭାଜନ ପରେ ସରୋଜଙ୍କ ବାପା କିଶନଚାନ୍ଦ ଓ ମା ନୋନି ଭାରତରେ ରହିଗଲେ। ସରୋଜଙ୍କୁ ୩ ବର୍ଷ ହୋଇଥିବା ବ‌େଳେ ସେ ଫିଲ୍ମରେ କାମ କରିବା ଆରମ୍ଭ କରିଥିଲେ। ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ନଜରାନା’। ସେଥିରେ ସେ ଶ୍ୟାମା ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ୫୦ ଦଶକରେ ବ୍ୟାକଗ୍ରାଉଣ୍ଡ ନୃତ୍ୟଶିଳ୍ପୀ ଭାବେ କାମ ଆରମ୍ଭ କରିଥିଲେ। ପରେ ସେ ନୃତ୍ୟ ସଂଯୋଜକ ବି. ସୋହନଲାଲଙ୍କଠାରୁ ନୃତ୍ୟ ତାଲିମ ନେଲେ। ୧୯୭୪ ମସିହାରେ ମୁକ୍ତିଲାଭ କରିଥିବା ‘ଗୀତା ମେରା ନାମ’ରେ ସେ ନୃତ୍ୟ ସଂଯୋଜକ ଭାବେ ନିଜର ଯାତ୍ରା ଆରମ୍ଭ କଲେ। ‘ମିଷ୍ଟର ଇଣ୍ଡିଆ’, ‘ନଗିନା’, ‘ତେଜାବ’, ‘ଥାନେଦାର’, ‘ବେଟା’ ଭଳି ସୁପରହିଟ୍‌ ଫିଲ୍ମରେ ତାଙ୍କ ଚିତ୍ତାକର୍ଷକ ନୃତ୍ୟ ନିର୍ଦେଶନା ‌ପରିଚୟ ଆଣିଦେଲା। ମାଧୁରୀ ଦୀକ୍ଷିତଙ୍କଠୁ ନେଇ ଶ୍ରୀଦେବୀଙ୍କ ଭଳି ଦିଗ୍‌ଗଜ ଅଭିନେତ୍ରୀ ସରୋଜଙ୍କୁ ନିଜର ଗୁରୁ ମାନୁଥିଲେ।

ସରୋଜ ନିଜ ନୃତ୍ୟ ପ୍ରଶିକ୍ଷକ ବି.ସୋହନଲାଲଙ୍କୁ ୧୩ ବର୍ଷ ବୟସରେ ବିବାହ କରିଥିଲେ। ପରେ ସେ ସର୍ଦ୍ଦାର ରୋସନ ଖାନଙ୍କୁ ବିବାହ କରିଥିଲେ। ଆଜି ସକାଳ ୭ଟାରେ ମଲାଡସ୍ଥିତ ମୁସଲିମ କବ୍ରିସ୍ତାନରେ ତାଙ୍କୁ ସମାଧି ଦିଆଯାଇଛି। କବ୍ରିସ୍ତାନ ନିକଟରେ ସରୋଜଙ୍କ ଝିଅ ସୁକନ୍ୟା ଖାନ ଓ କିଛି ପିରବାର ସଦସ୍ୟଙ୍କୁ ଦେଖିବାକୁ ମିଳିଥିଲା। ୩ ଦିନ ପରେ ସରୋଜ ଖାନଙ୍କ ଉଦ୍ଦେଶ୍ୟରେ ଏକ ପ୍ରାର୍ଥନା ସଭା ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର