ଆଜି ହାଜର ହେବେ ଦୀପିକା, ସାରା, ଶ୍ରଦ୍ଧା
ଡ୍ରଗ୍ସ ମାମଲାରେ ରିୟାଙ୍କ ସହ ଚାଟିଂ କରିଥିବା ମାନିଲେ ରକୁଲ୍
ମୁମ୍ବାଇ : ବଲିଉଡ୍ରେ ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଜି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ଅଭିନେତ୍ରୀ ରକୁଲ୍ପ୍ରୀତ୍ ସିଂହ ଏବଂ ଦୀପିକା ପାଦୁକୋଣଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ଜେରା କରିଛି। ଡ୍ରଗ୍ସ ବାବଦରେ ସୁଶାନ୍ତ ସିଂହ ରାଜପୁତ୍ଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ସହ ସେ ହ୍ବାଟ୍ସ ଆପ୍ ଚାଟିଂ କରିଥିଲେ ବୋଲି ରକୁଲ୍ପ୍ରୀତ୍ ଏନ୍ସିବି ନିକଟରେ ସ୍ବୀକାର କରିଛନ୍ତି। କିନ୍ତୁ ସେ ଡ୍ରଗ୍ସ ସେବନ କରିବା ଘଟଣାକୁ ଅସ୍ବୀକାର କରିଛନ୍ତି। ସେହିଭଳି ଆଜି ଦୀପିକା ଏନ୍ସିବିରେ ହାଜର ହେବାର ଥିଲା। ମାତ୍ର କୌଣସି କାରଣରୁ ସେ ହାଜର ହୋଇ ନଥିଲେ। ଦୀପିକା ଏନ୍ସିବିକୁ ଗୋଟିଏ ଦିନ ସମୟ ମାଗିଥିଲେ। ଆସନ୍ତାକାଲି ଏନ୍ସିବି ଦୀପିକାଙ୍କୁ ଜେରା କରିବ। ତେବେ ଏନ୍ସିବିର ସମନ ପାଇବା ପରେ ଦୀପିକାଙ୍କ ଉଦ୍ବେଗ ଓ ଅସ୍ଥିରତା ବଢ଼ିଯାଇଛି ଏବଂ ସେ ଅସୁସ୍ଥ ଅନୁଭବ କରୁଛନ୍ତି ବୋଲି ତାଙ୍କ ସ୍ବାମୀ ରଣବୀର ସିଂହ କହିଛନ୍ତି। ଏଣୁ ଏନ୍ସିବି ଦୀପିକାଙ୍କୁ ଜେରା କରିବା ବେଳେ ତାଙ୍କୁ ସାମିଲ୍ କରିବାକୁ ଅନୁମତି ଦିଅନ୍ତୁ ବୋଲି ରଣବୀର କହିଛନ୍ତି। ଏ ନେଇ ରଣବୀର ଏନ୍ସିବିକୁ ଏକ ଚିଠି ଲେଖିଛନ୍ତି। ମାତ୍ର ଏନ୍ସିବି ରଣବୀରଙ୍କ ଏ ଚିଠି ଉପରେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ସେହିଭଳି ଫ୍ୟାଶନ ଡିଜାଇନର ସିମୋନ ଖମ୍ବଟ୍ଟାଙ୍କୁ ଗତକାଲି ଏନ୍ସିବି ଜେରା କରିଥିଲା। ସେହିଭଳି ଆସନ୍ତାକାଲି ଏନ୍ସିବି ସାରା ଅଲ୍ଲୀ ଖାନ୍ ଓ ଶ୍ରଦ୍ଧା କପୁର୍ଙ୍କୁ ଜେରା କରିବ। ସୂଚନାଯୋଗ୍ୟ, ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ଏବଂ ଡ୍ରଗ୍ସ ଲିଙ୍କ୍ ମାମଲାରେ ପୂର୍ବରୁ ଏନ୍ସିବି ରିୟା ଚକ୍ରବର୍ତ୍ତୀଙ୍କ ସମେତ ୧୬ ଜଣଙ୍କୁ ଗିରଫ କରି ସାରିଛି। ସୂଚନାଯୋଗ୍ୟ, ବଲିଉଡ୍ରେ ଡ୍ରଗ୍ସ ଲିଙ୍କ୍ ମାମଲାରେ ଏନ୍ସିବି ୫୦ ଜଣ ଅଭିନେତା, ଅଭିନେତ୍ରୀଙ୍କର ଏକ ତାଲିକା ପ୍ରସ୍ତୁତ କରିଛି।