ବାସବରାଜ ବୋମାଇ ହେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ, ଆସନ୍ତା କାଲି ଅପରାହ୍ଣରେ ଶପଥ ଗ୍ରହଣ

ବେଙ୍ଗାଲୁରୁ : ବରିଷ୍ଠ ବିଜେପି ନେତା ବାସବରାଜ ବୋମାଇ ହେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ । ଆଜି ସଂଧ୍ୟାରେ ବସିଥିବା ବିଜେପି ବିଧାୟକ ଦଳ ବୈଠକ ପରେ ଏହି ଘୋଷଣା କରାଯାଇଛି । ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜି.କିଷନ ରେଡ୍ଡୀ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ଥିଲେ । ଆସନ୍ତା କାଲି ଅପରାହ୍ଣ ୩ ଟା ୨୦ରେ ଶ୍ରୀ ବୋମାଇଙ୍କ ଶପଥ ଗ୍ରହଣ ଅନୁଷ୍ଠିତ ହେବ ।

ମୁଖ୍ୟମନ୍ତ୍ରୀ ଘୋଷଣା ପରେ ନିଜ ପ୍ରତିକ୍ରିୟାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ବୋମାଇ କର୍ଣ୍ଣାଟକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକ୍ରମଗୁଡ଼ିକୁ ଆଗେଇ ନେବେ ବୋଲି ସେ ଆଶା କରୁଛନ୍ତି ।

ଇସ୍ତଫା ଦେଇଥିବା ବିଏସ ୟେଦୁୟେରପ୍ପାଙ୍କ ପରି ବୋମାଇ ମଧ୍ୟ ପ୍ରଭାବଶାଳୀ ଲିଙ୍ଗାୟତ ସଂପ୍ରଦାୟର ବ୍ୟକ୍ତି । ସେ ମଧ୍ୟ ୟେଦୁୟେରପ୍ପାଙ୍କ ଘନିଷ୍ଠ ଭାବେ ଜଣାଶୁଣା । ୧୯୬୦ ଜାନୁଆରି ୨୮ରେ ଜନ୍ମିତ ବାସବରାଜ ବୋମାଇଙ୍କ ପିତା ଏସଆର ବୋମାଇ ମଧ୍ୟ ପୂର୍ବରୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଥିଲେ ।

ସମ୍ବନ୍ଧିତ ଖବର