ଆଫଗାନିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ ୧୪ ମୃତ, ୧୯ ଆହତ

କାବୁଲ୍‌: ଆଜି ଆଫଗାନିସ୍ତାନ ରାଜଧାନୀ କାବୁଲ୍‌ରେ ବରିଷ୍ଠ ମୌଲବୀଙ୍କର ବୈଠକ ଚାଲିଥିବା ବେଳେ ଆତ୍ମଘାତୀ ବିସ୍ଫୋରଣ ହୋଇ ଅନ୍ୟୁନ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ୨୦ରୁ ଊର୍ଦ୍ଧ୍ୱ ଆହତ ମଧ୍ୟ ହୋଇଛନ୍ତି। ମିଳିଥିବା ଖବର ମୁତାବକ, ଲୋୟା ଜିର୍ଗା ତମ୍ବୁ ତଳେ ବିଭିନ୍ନ ପ୍ରସଙ୍ଗ ଉପରେ ଧାର୍ମିକ ଗୋଷ୍ଠୀ – ‘ଆଫଗାନ୍‌ ଉଲେମା କାଉନସିଲ୍‌’ର ବୈଠକ ହୋଇଥିଲା। ଏହି ବୈଠକରେ ପ୍ରାୟ ୨୦୦୦ରୁ ଊର୍ଦ୍ଧ୍ୱ ମୌଲବୀ ଅଂଶଗ୍ରହଣ କରିଥିଲେ। ତେବେ ଏହି ବୈଠକରେ ଆତ୍ମଘାତୀ ବିସ୍ଫୋରଣ ବିରୋଧରେ ଫତଓ୍ଵା ଜାରି କରିବାର କିଛି ସମୟ ପରେ ଏହି ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା। ତେବେ ଏହି ଆକ୍ରମଣ ପାଇଁ କୌଣସି ଆତଙ୍କବାଦୀ ଗୋଷ୍ଠୀ ନିଜକୁ ଦାୟୀ କରିନାହାନ୍ତି। ଆହତମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି। ତେବେ ମୃତକଙ୍କ ମଧ୍ୟରେ କେତେଜଣ ମୌଲବୀ ରହିଛନ୍ତି ତାହା ସ୍ପଷ୍ଟ ହୋଇପାରିନାହିଁ। ଉଲ୍ଳେଖଯୋଗ୍ୟ, ଗତବର୍ଷଠାରୁ ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀ ସଂଗଠନ ଲଗାତାର ଭାବେ ଆତ୍ମଘାତୀ ବିାସ୍ଫାରଣ ଜାରି ରଖିଥିବା ବେଳେ ନିଃସର୍ତ୍ତ ଶାନ୍ତି ପ୍ରସ୍ତାବ ମଧ୍ୟ ମୌଲବୀ ମାନେ ସରକାରଙ୍କୁ ଦେଇଥିଲେ।

ସମ୍ବନ୍ଧିତ ଖବର