ଦୁଇଟି ବୋମା ବିସ୍ଫୋରଣରେ ଥରିଲା ମୋଗାଦିସୁ

ମୋଗାଦିସୁ : ଆଫ୍ରିକୀୟ ଦେଶ ସୋମାଲିଆର ରାଜଧାନୀ ମୋଗାଦିସୁ ଶନିବାରଦିନ ଦୁଇଟି ବୋମା ବିସ୍ଫୋରଣରେ ଥରିଉଠିଛି । ଏଥିରେ ଡଜନରୁ ଅଧିକ ଲୋକ ମୃତ୍ୟୁବରଣ କରିଥିବା କୁହାଯାଉଛି ।

ସହରରେ ଥିବା କେ-୫ ଜଙ୍କସନସ୍ଥିତ ସୋମାଲିଆର ଶିକ୍ଷା ମନ୍ତ୍ରାଳୟ ନିକଟରେ ଲଗାତାର ଦୁଇଟି ବୋମା ବିସ୍ଫୋରଣ ହୋଇଥିଲା । ପ୍ରଥମ ବୋମା ବିସ୍ଫୋରଣ ହେବାର କିଛି ମିନିଟ ପରେ ଆଉ ଏକ ବୋମା ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣର ଏତେ ପ୍ରଚଣ୍ଡ ଥିଲା ଯେ ତାହା ସାରା ସହରରେ ଶୁଣାଯାଇଥିଲା । ବିସ୍ଫୋରଣ ସ୍ଥାନରୁ ଉଠୁଥିବା ଧୂଆଁ ଅନେକ ଦୂରରୁ ଦେଖାଯାଉଥିଲା ।

ଏହି ବିସ୍ଫୋରଣରେ କେତେ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ ମତରେ ମୃତ୍ୟୁସଂଖ୍ୟା ଏକ ଡଜନରୁ ଅଧିକ ହୋଇପାରେ । ଏହି ବିସ୍ଫୋରଣରେ ଜଣେ ସ୍ଥାନୀୟ ସାମ୍ବାଦିକ ମହମ୍ମଦ ଇସା କୋନାନ ନିହତ ହୋଇଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପ୍ରଥମ ବିସ୍ଫୋରଣ ପରେ ପରେ କିଛି ସ୍ଥାନୀୟ ଲୋକ ଉଦ୍ଧାର ପାଇଁ ଯାଇଥିବାବେଳେ ୨ୟ ବିସ୍ଫୋରଣଟି ହୋଇଥିଲା । ଘଟଣାସ୍ଥଳରେ ଏବେ ଉଦ୍ଧାର କାମ ଚାଲିଛି ।

ଏହି ଘଟଣାପାଇଁ ଏପର୍ଯ୍ୟନ୍ତ କୌଣସି ଗୋଷ୍ଠୀ ନିଜକୁ ଦାୟୀ କରିନାହାନ୍ତି । ତେବେ ଏହା ପଛରେ ସୋମାଲିଆର କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ ସବାବର ହାତ ଥିବା ସଂଦେହ କରାଯାଉଛି ।

ସୂଚନାଯୋଗ୍ୟ ଯେ, ଶନିବାର ହୋଇଥିବା ବିସ୍ଫୋରଣର ସ୍ଥାନ ୨୦୧୮ରେ ହୋଇଥିବା ସବୁଠାରୁ ଭୟଙ୍କର ବୋମା ବିସ୍ଫୋରଣର ସ୍ଥାନ ନିକଟରେ ଅବସ୍ଥିତ । ୨୦୧୮ରେ ହୋଇଥିବା ଉକ୍ତ ବିସ୍ଫୋରଣରେ ୫୮୭ ଲୋକ ପ୍ରାଣ ହରାଇଥିଲେ ।

 

ସମ୍ବନ୍ଧିତ ଖବର