ଅମିତାଭ ବଚ୍ଚନଙ୍କ ଘର, ମୁମ୍ବାଇର ୩ ରେଳ ଷ୍ଟେସନରେ ବୋମା ଆତଙ୍କ

ମୁମ୍ବାଇ : ଶୁକ୍ରବାର ରାତିରେ ବଲିଉଡ୍ ସୁପରଷ୍ଟାର ଅମିତାଭ ବଚନଙ୍କ ବାସଭବନ ଓ ମୁମ୍ବାଇର ୩ଟି ରେଳ ଷ୍ଟେସନରେ ବୋମା ରଖାଯାଇଥିବା ଜଣେ ଅଜଣା ବ୍ୟକ୍ତି ଫୋନ କରି ସୂଚନା ଦେବା ପରେ ଆତଙ୍କ ଖେଳିଯାଇଥିଲା । ଏହି ଫୋନ କଲ୍ ମିଳିବା ପରେ ସଂପୃକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ବୋମା ସ୍କ୍ବାର୍ଡ ଦ୍ବାରା ଯାଞ୍ଚ କରାଯାଇଥିଲା । କିନ୍ତୁ ବୋମା ଥିବା ଖବର ମିଥ୍ୟା ବୋଲି ଜଣାପଡ଼ିଥିଲା ।

ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ମୁମ୍ବାଇ ପୁଲିସର କଣ୍ଟ୍ରୋଲ ରୁମକୁ ଜଣେ ଅଜଣା ବ୍ୟକ୍ତି ଫୋନ କରି ସହରର ୪ଟି ସ୍ଥାନରେ ବିସ୍ଫୋରକ ରଖାଯାଇଥିବା କହିଥିଲା । ଏସବୁ ସ୍ଥାନଗୁଡ଼ିକ ହେଉଛି ଛତ୍ରପତି ଶିବାଜୀ ଟର୍ମିନସ୍, ଦାଦର ଓ ବାଇକୁଲା ରେଳଷ୍ଟେସନ ଓ ଜୁହୁସ୍ଥିତ ଅମିତାଭ ବଚ୍ଚନଙ୍କ ଘର । ଏହା ପରେ ରେଳବାଇ ପୁଲିସ ସକ୍ରିୟ ହୋଇଥିଲା । ସଂପୃକ୍ତ ସ୍ଥାନଗୁଡ଼ିକୁ ସିଲ୍ କରାଯିବା ସହ ବୋମା ସ୍କ୍ବାର୍ଡ ଦ୍ବାରା ଯାଞ୍ଚ କରାଯାଇଥିଲା । ତେବେ କୌଣସି ବିସ୍ଫୋରକ ମିଳିନଥିଲା । ଫଳରେ ବୋମା ଥିବା ଖବର ମିଥ୍ୟା ପ୍ରମାଣିତ ହୋଇଥିଲା । ଏହା ସତ୍ତ୍ବେ ସଂପୃକ୍ତ ଅଞ୍ଚଳଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ସମ୍ବନ୍ଧିତ ଖବର