ନିତିଶଙ୍କ ଜନସଭାରେ ବାଣ ଫୁଟାଇ ଯୁବକ ଗିରଫ

ପାଟନା : ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ଜନସଭାରେ ଆଜି ବାଣ ବିସ୍ଫୋରଣ ହୋଇଛି । ଏହି ଘଟଣାରେ ପୁଲିସ ଜଣକୁ ଗିରଫ କରି ପଚରାଉଚୁରା କରୁଛି ।

ମିଳିଥିବା ସୂଚନା ଅନୁସାରେ, ଆଜି ନିତିଶ ନାଳନ୍ଦାଠାରେ ଅନୁଷ୍ଠିତ ଏକ ଜନସଭାରେ ଭାଷଣ ଦେଉଥିଲେ । ଏହି ସମୟରେ ଜଣେ ବ୍ୟକ୍ତି ଏକ ଆତସବାଜି ବୋମା ତାଙ୍କ ଆଡକୁ ଲକ୍ଷ୍ୟକରି ଫିଙ୍ଗିଥିଲା । ତେବେ ବୋମାଟି ନିତିଶଙ୍କଠାରୁ ୧୫ ଫୁଟ ଦୂରରେ ପଡ଼ି ବିସ୍ଫୋରଣ ହୋଇଥିଲା । ବୋମା ବିସ୍ଫୋରଣ ପରେ ସଭାରେ ଥିବା ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ପ୍ରଥମେ ଏହା ଏକ ଗୁଳି ଶବ୍ଦ ବୋଲି ମନେକରାଯାଉଥିଲା, କିନ୍ତୁ ପରେଏହା ଏହା ସ୍ବଳ୍ପଶକ୍ତି ସଂପନ୍ନ ଆତସବାଜି ବୋମା ବୋଲି ଜଣାପଡ଼ିଥିଲା ।

ଏହି ଘଟଣା ପରେ ପୁଲିସ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଶୁଭମ ଆଦିତ୍ୟ ନାମକ ୨୨ ବର୍ଷୀୟ ଯୁବକକୁ ଗିରଫ କରାଯାଇଛି । ସେ ନାଳନ୍ଦା ଜିଲ୍ଲା ଇସଲାମପୁର ଥାନା ଅଂଚଳର ବ୍ୟକ୍ତି ବୋଲି ଜଣାପଡ଼ିଛି । ପୁଲିସ ତାଠାରୁ କେତେକ ବାଣ ଓ ଦିଆସିଲି ଜବତ କରିଛି ଓ ତାକୁ ଜେରା କରୁଛି । ତେବେ ଏହା ପଛରେ କୌଣସି ଆତଙ୍କବାଦୀ ସଂଗଠନଙ୍କ ହାତ ଥିବା କଥା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ବାରମ୍ବାର ତ୍ରୁଟି ପରିଲକ୍ଷିତ ହୋଉଥିବା ଚିନ୍ତାର ବିଷୟ ।

 

ସମ୍ବନ୍ଧିତ ଖବର