ମାଙ୍ଗାଲୁରୁ ବିମାନବନ୍ଦରରେ ବୋମା ଭୟ

ନୂଆଦିଲ୍ଲୀ: ମାଙ୍ଗାଲୁରୁ ବିମାନବନ୍ଦରରେ ଆଜି ସକାଳେ ବୋମା ଭୟ ଓ ଆତଙ୍କ ଖେଳି ଯାଇଥିଲା। ବିମାନବନ୍ଦରର ଟି‌କେଟ୍‌ କାଉଣ୍ଟର ନିକଟରୁ ଏକ ବ୍ୟାଗ୍‌ ଜବତ ହୋଇଥିବାବେଳେ ଏଥିରୁ ଆଇଇଡି ସାମଗ୍ରୀ ମିଳିଛି। ବ୍ୟାଗ୍‌ଟି ଜବତ ହେବାପ‌ରେ ସଙ୍ଗେସଙ୍ଗେ ଉକ୍ତ ସ୍ଥାନରୁ ‌ଲୋକମାନଙ୍କୁ ଖାଲି କରି ଦିଆଯାଇଥିଲା। ବିମାନବନ୍ଦରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ମାଙ୍ଗାଲୁରୁ ପୁଲିସ କମିସନର ପି ଏସ୍‌ ହର୍ଷ ପୁଲିସ ଟିମ୍‌ ଏବଂ ‌ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ୍‌ ଓ ଡଗ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ୍‌ କରିଥିଲେ। ପରେ ମାଙ୍ଗାଲୁରୁରୁ ବେଙ୍ଗାଲୁର ଅଭିମୁଖେ ଯାତ୍ରା କରିବାକୁ ଥିବା ଏକ ଇଣ୍ଡିଗୋ ବିମାନରେ ବୋମା ଥିବା ଧମକ ମିଳିଥିଲା। ଏହାପରେ ବିମାନଟିକୁ ଫେରାଯାଇ ଚେକ୍‌ କରାଯାଇଥିଲା। ପୁଲିସ ଅନୁମାନ କରୁଛି ଯେ ଦୁଇଟି ଯାକ ଘଟଣାରେ ଜଣଙ୍କର ହାତ ଅଛି। ପୁଲିସ ଏନେଇ ଏକ ସନ୍ଦିଗ୍ଧର ଫଟୋ ଜାରି କରଛି। ଟର୍ମିନାଲ୍‌ ବିଲ୍ଡିଙ୍ଗ୍‌ ବାହାରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ଜଣାପଡ଼ିଛି ଯେ ଜଣେ ବ୍ୟକ୍ତି ଅଟୋରିକ୍ସାରେ ବିମାନବନ୍ଦର ଭିତରକୁ ଆସିଥିଲା ଏବଂ ଇ‌ଣ୍ଡିଗୋର ବୁକିଂ କାଉଣ୍ଟର ନିକଟରେ ବ୍ୟାଗ୍‌ ‌ରଖି ସେହି ସମାନ ଅଟୋ ରିକ୍ସାରେ ଚାଲି ଯାଇଥିଲା। ପୁଲିସ ଏହି ସନ୍ଦୀଗ୍ଧର ଫଟୋ ଜାରି କରିଛି।

ସମ୍ବନ୍ଧିତ ଖବର