ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ ଯୁଦ୍ଧ ସହ ଜଡିତ ଏକ ଖବର ସାମ୍ନାକୁ ଆସିଛି, ଯାହା ଡାକ୍ତରମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରି ଦେଇଛି। ନିକଟରେ ଡାକ୍ତରମାନେ ଋଷିଆର ଜଣେ ସୈନିକଙ୍କ ଅସ୍ତ୍ରୋପଚାର କରିଥିଲେ। ଏହି ଅସ୍ତ୍ରୋପଚାର ସମୟରେ ସେମାନେ ଉକ୍ତ ସୈନିକଙ୍କ ଛାତିରୁ ଏକ ଅଫୁଟା ବୋମା ବାହାର କରିଥିବା ଘଟଣା ସାମ୍ନାକୁ ଆସିଛି। ତେବେ ଉକ୍ତ ବ୍ୟକ୍ତିଙ୍କ ଛାତି ଭିତରେ ଅଫୁଟା ବୋମା କିପରି ପହଞ୍ଚିଲା, ତାହା ପୁଣି ଫୁଟିଲା ନାହିଁ କେମିତି ତାହାକୁ ନେଇ ପ୍ରଶ୍ନ ଉଠିଛି।
ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଯେଉଁ ସୈନିକଙ୍କ ଛାତିରୁ ଅଫୁଟା ବୋମା ବାହାରିଛି ତାଙ୍କ ନାମ ନିକୋଲେ ପାସେନଙ୍କୋ। ଋଷର ସୈନିକ ଓ ୟୁକ୍ରେନ ସୈନିକ ମଧ୍ୟରେ ଲଢ଼େଇ ଚାଲିଥିବା ବେଳେ ସେ ଗୁରୁତର ଆହତ ହୋଇଥିଲେ। ଯେତେବେଳେ ଋଷର ସୈନିକଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା, ଡାକ୍ତରମାନେ ତାଙ୍କର ତୁରନ୍ତ ଅସ୍ତ୍ରୋପଚାର ପାଇଁ କହିଥିଲେ। ଅସ୍ତ୍ରୋପଚାର କରି ଡାକ୍ତର ନିକୋଲେଙ୍କ ଛାତିରୁ ଏକ ଅଫୁଟା ବୋମା ବାହାର କରିଥିଲେ। ତେବେ ଅଫୁଟା ବୋମା କିପରି ତାଙ୍କ ଛାତି ଯାଏଁ ପହଞ୍ଚିଲା ଡାକ୍ତର କି ନିଜେ ନିକୋଲେ ଏସମ୍ପର୍କରେ କିଛି କହି ପାରୁ ନାହାନ୍ତି।
ଗୁରୁବାର ଦିନ ଋଷିଆର ପ୍ରତିରକ୍ଷା ମନ୍ତ୍ରାଳୟ ଏହି ଘଟଣାକୁ ନିଶ୍ଚିତ କରିଛି। ଋଷିଆର ଟିଏଏସଏସ ନ୍ୟୁଜ୍ ଏଜେନ୍ସି ପ୍ରକାଶ କରିଛି ଯେ ଏହି ସୈନିକଙ୍କ ଚିକିତ୍ସା କେନ୍ଦ୍ରୀୟ ମିଲିଟ୍ରି ଡିଷ୍ଟ୍ରିକ୍ଟର ମାଣ୍ଡ୍ରିକ୍ ସେଣ୍ଟ୍ରାଲ୍ ମିଲିଟ୍ରି କ୍ଲିନିକାଲ୍ ହସ୍ପିଟାଲରେ ସର୍ଜନମାନେ କରିଥିଲେ।
ଋଷିଆର ପ୍ରତିରକ୍ଷା ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି, ‘ଯେ ଉକ୍ତ ସୈନିକଙ୍କ ଛାତିରେ ଗଭୀର ଆଘାତ ଲାଗିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନେ ତାଙ୍କର ଚିକିତ୍ସା କରୁଥିବା ସମୟରେ ଜାଣିବାକୁ ପାଇଲେ କି ତାଙ୍କ ଛାତିରେ ଏକ ଅଫୁଟ ବୋମା ରହିଛି। ଆଉ ସୌଭାଗ୍ୟବଶତଃ ସୈନିକ ଏଯାବତ ଜୀବିତ ରହିଛନ୍ତି। ଡାକ୍ତରମାନେ ବି ସୁରକ୍ଷିତ ଭାବେ ଉକ୍ତ ବୋମାକୁ ସୈନିକଙ୍କ ଛାତିରୁ ବାହାର କରିଥିଲେ। କାରଣ ଅସ୍ତ୍ରୋପଚାର ସମୟରେ ବିସ୍ଫୋରଣର ଭୟ ରହିଥିଲା।
ଉଲ୍ଲେଖଯୋଗ୍ୟ, ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଗତ ବର୍ଷ ଫେବୃଆରି ୨୪ରେ ଆରମ୍ଭ ହୋଇଥିଲା। ଆମେରିକାର ଦାବି ଅନୁଯାୟୀ, ଏପର୍ଯ୍ୟନ୍ତ ଉଭୟ ଦେଶର ୨ ଲକ୍ଷରୁ ଅଧିକ ସୈନିକ ଯୁଦ୍ଧରେ ପ୍ରାଣ ହରାଇଛନ୍ତି ଏବଂ ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି।