ନୂଆଦିଲ୍ଲୀ : ଦିଲ୍ଲୀର ଏକ ସ୍କୁଲକୁ ବୋମା ଦ୍ବାରା ଉଡ଼ାଇଦେବାକୁ ଧମକ ମିଳିବା ପରେ ସଂପୃକ୍ତ ଅଂଚଳ ଓ ଅଭିଭାବକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିବା ପରେ ପୂରା ସ୍କୁଲକୁ ଖାଲି କରିଛନ୍ତି । ଏହା ସହିତ ବୋମା ନିଷ୍କ୍ରିୟକାରୀ ଦଳ ଓ ସ୍ବାଟ୍ ଟିମ ପହଞ୍ଚି ତଲାସି ଆରମ୍ଭ କରିଛନ୍ତି ।

Advertisment

ସୂଚନା ଅନୁଯାୟୀ, ଦିଲ୍ଲୀର ସାଦିକ ନଗରର ଇଣ୍ଡିଆନ ସ୍କୁଲକୁ ବୁଧବାର ଏକ ଇମେଲ ଆସିଥିଲା। ଏହା ଦ୍ୱାରା ସ୍କୁଲକୁ ଉଡ଼ାଇ ଦିଆଯିବ ବୋଲି ଧମକ ଦିଆଯାଇଥିଲା, ଯାହା ପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସ୍କୁଲକୁ ଖାଲି କରି ଦିଆଯାଇଛି ।

ବୋମା ସମ୍ପର୍କରେ ଖବର ପାଇ ଦିଲ୍ଲୀ ପୁଲିସର ସ୍ୱାଟ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍କୁଲରେ ସର୍ଚ୍ଚ ଅପରେସନ ଜାରି ରଖିଛି। ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ ମଧ୍ୟ ରହିଛି। ବୋମା ଖବର ପାଇ ଅଭିଭାବକମାନେ ମଧ୍ୟ ନିଜ ପିଲାଙ୍କୁ ନେବା ପାଇଁ ସ୍କୁଲରେ ପହଂଚିଛନ୍ତି । ସ୍କୁଲ ବାହାରେ ପ୍ରବଳ ଭିଡ଼ ଜମିଛି।

ଡିସିପି ଦକ୍ଷିଣ ଚନ୍ଦନ ଚୌଧୁରୀ କହିଛନ୍ତି, ସକାଳ ୧୦ଟା ୫୦ରେ ସ୍କୁଲକୁ ଇ-ମେଲ୍ ଜରିଆରେ ବୋମା ଧମକ ମିଳିଥିଲା। ଆମେ ସମସ୍ତ ପିଲାଙ୍କୁ ସ୍କୁଲରୁ ଖାଲି କରିଦେଇଥିଲୁ । ସଙ୍ଗେ ସଙ୍ଗେ ବୋମା ନିଷ୍କ୍ରିୟକାରୀ ଦଳ ମୁତୟନ କରାଯାଇ ସ୍ପେଶାଲ୍ ସେଲ୍ ଓ ସ୍ପେଶାଲ୍ ବ୍ରାଞ୍ଚକୁ ଖବର ଦିଆଯାଇଥିଲା। ଆମେ ସ୍ୱାଟ୍ ଟିମ୍ ସହ ସର୍ଚ୍ଚ ଅପରେସନ କରିଛୁ। ଦୁଇ ରାଉଣ୍ଡ ସର୍ଚ୍ଚ ଅପରେସନ ଶେଷ ହୋଇଥିବା ବେଳେ ତୃତୀୟ ରାଉଣ୍ଡ ମଧ୍ୟ ଚାଲିଛି । ସ୍ୱାଟ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ରହିଛି। ଆମେ ଜାଣିବାକୁ ଚେଷ୍ଟା କରୁଛୁ ଯେ ଏହି ମେଲ୍ କେଉଁଠୁ ଆସିଛି। ସମ୍ଭବତଃ ଏହା ନକଲି ହୋଇପାରେ।