ମୁମ୍ବାଇ : ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ମୁମ୍ବାଇ ସ୍ଥିତ ଆଣ୍ଟିଲିଆ ବାସଭବନ ବାହାରେ ଗତ ଫେବ୍ରୁଆରି ୨୫ ତାରିଖରେ ବିସ୍ଫୋରକ ରହିଥିବା ଏକ ସ୍କର୍ପିଓ ଚିହ୍ନଟ ହୋଇଥିଲା। ଗାଡ଼ିରୁ ବିସ୍ଫୋରକ ସାମଗ୍ରୀ ସହ ଅମ୍ବାନିଙ୍କ ପରିବାର ସଦସ୍ୟଙ୍କ ପ୍ରତି ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା। ଏହି ଘଟଣା ପରଠାରୁ ନିଖୋଜ ଥିବା ଗାଡ଼ି ମାଲିକ ମନସୁଖ ହିରେନ୍ଙ୍କର ସନ୍ଦେହଜନକ ସ୍ଥିତିରେ ମୃତ୍ୟୁ ହୋଇଯାଇଛି। କାଲ୍ୱା କ୍ରିକ୍ ମୁହାଣରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ତେଣୁ ମାମଲାରେ ରହସ୍ୟ ଅଧିକ ଘନେଇଛି। କେଉଁ ପରିସ୍ଥିତିରେ ହିରେନ୍ଙ୍କ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ଜଣାପଡ଼ିନି। ମୁମ୍ବାଇ ପୁଲିସ କମିସନର ପରମବୀର ସିଂହ କହିଛନ୍ତି, ମନସୁଖ ହିରେନ୍ ଆତ୍ମହତ୍ୟା କରିଛନ୍ତି ଏବଂ ଏହା ସ୍ପଷ୍ଟ ହୋଇସାରିଛି। ଅନ୍ୟପକ୍ଷେ ହିରେନ୍ଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ହତ୍ୟା କରାଯାଇଛି ଏବଂ କୌଣସି ଅଜ୍ଞାତ କାରଣରୁ ପୁଲିସ ତଥ୍ୟ ଲୁଚାଉଛି।
ଉଲ୍ଲେଖଯୋଗ୍ୟ, ଗାଡ଼ି ମାଲିକ ମନସୁଖ୍ ହିରେନ୍ ଦାବି କରିଥିଲେ ଯେ, ସେ ପ୍ରାୟ ବର୍ଷେ ଧରି ଏହି ଗାଡ଼ି ଚଳାଉନଥିଲେ। ତେବେ ଗାଡ଼ି ବିକିବାପାଇଁ ମନସ୍ଥ କରିବାପରେ ନିକଟରେ ସେ ଏହି ଗାଡ଼ି ବ୍ୟବହାର କରିବା ଆରମ୍ଭ କରିଥିଲେ ବୋଲି କହିଛନ୍ତି। ତେବେ ମନସୁଖ୍ଙ୍କ ଗାଡ଼ି ବ୍ରେକ୍ଡାଉନ୍ ହୋଇଯିବାରୁ ସେ ଏହାକୁ ମୁଲୁନ୍ଦ-ଐରୋଲି ଲିଙ୍କ୍ ରୋଡ୍ରେ ଗତ ୧୬ ତାରିଖରେ ପାର୍କ କରିଥିଲେ। ଏହାର ପରଦିନ ସକାଳେ ସେ ଗାଡ଼ି ନେବାକୁ ଆସିଥିଲେ। କିନ୍ତୁ ଗାଡ଼ି ଚୋରି ହୋଇ ଯାଇଥିଲା। ପୁଲିସ ଅନୁଯାୟୀ ମନସୁଖ ମଧ୍ୟ ତାଙ୍କ ସ୍କର୍ପିଓ ଚୋରି ହୋଇଥିବା ନେଇ ପୁଲିସରେ ଅଭିଯୋଗ ଦାଏର କରିଥିଲେ। ଅନ୍ୟପକ୍ଷେ ଆଜି ବିରୋଧୀ ଦଳ ନେତା ତଥା ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଛନ୍ତି। ଆଣ୍ଟିଲିଆ ବୋମା ଆତଙ୍କ ଘଟଣାର ସେ ଏନ୍ଆଇଏ ତଦନ୍ତ ଦାବି କରିଛନ୍ତି। ଫଡ଼ନାବିସ କହିଛନ୍ତି ଯେ ଘଟଣାସ୍ଥଳରେ ଗୋଟିଏ କାର୍ ନଥିଲା ବରଂ ୨ଟି ଥିଲା। ଗୋଟିଏ ସ୍କର୍ପିଓ ଏବଂ ଅନ୍ୟଟି ଇନୋଭା। ୨ଟି ଯାକ କାର୍ ଥାନେରୁ ଆସି ସେଠାରେ ପହଞ୍ଚିଥିଲା। ପୁଲିସ ଏହି ମାମଲାରେ ବେପରୁଆ ନୀତି ଧରିବା ଉଦ୍ବେଗଜନକ ବୋଲି ଫଡନାଭିସ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/ambani-2.jpg)