ବେଙ୍ଗାଲୁରୁ: ବେଙ୍ଗାଲୁରୁର ୪୪ଟି ଘରୋଇ ସ୍କୁଲକୁ ଶୁକ୍ରବାର ସକାଳେ ଇ-ମେଲ୍ ଜରିଆରେ ବୋମା ଧମକ ମିଳିଛି। ସ୍କୁଲ ପରିସରରେ ବିସ୍ଫୋରକ ରଖାଯାଇଛି ବୋଲି ଏହି ଇମେଲରେ ଦାବି କରାଯିବା ପରେ ଶିକ୍ଷକଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପୁଲିସକୁ ଖବର ଦେବା ପରେ ସ୍କୁଲଗୁଡ଼ିକୁ ଖାଲି କରାଯିବା ସହ କୌଣସି ସନ୍ଦେହଜନକ ଜିନିଷ ପାଇଁ ବିଦ୍ୟାଳୟଗୁଡ଼ିକରେ ତଲାସୀ କରାଯାଇଥିଲା। ହ୍ୱାଇଟଫିଲ୍ଡ, କୋରେମଙ୍ଗଳା, ବାସବେଶନଗର, ୟାଲାହାଙ୍କା ଓ ସଦାଶିବନଗର ସମେତ ସମସ୍ତ ସ୍କୁଲକୁ ବୋମା ନିଷ୍କ୍ରିୟକାରୀ ସ୍କ୍ୱାଡ୍ ପଠାଯାଇଥିଲା।
କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ୱର କହିଛନ୍ତି, ଆମେ ଇମେଲ୍ର ଉତ୍ସ ସମ୍ପର୍କରେ ଯାଞ୍ଚ କରୁଛୁ ଏବଂ ଏହାକୁ ଗମ୍ଭୀରତାର ସହ ନେଉଛୁ। ଏହାକୁ ପ୍ରାଥମିକତା ଭିତ୍ତିରେ ଯାଞ୍ଚ କରିବାକୁ ମୁଁ ପୁଲିସକୁ କହିଛି। ବେଙ୍ଗାଲୁରୁ ପୁଲିସ କମିସନର ବି. ଦୟାନନ୍ଦ କହିଛନ୍ତି, ଏହି ଫୋନ୍ ମିଥ୍ୟା ମନେ ହେଉଥିଲେ ହେଁ ପୁଲିସ କୌଣସି ରିସ୍କ ନେଉନାହିଁ ଏବଂ ଦୋଷୀମାନଙ୍କୁ ଖୋଜିବା ପାଇଁ ଯଥାସମ୍ଭବ ପ୍ରୟାସ ଜାରି ରଖିଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଶୁକ୍ରବାର ଅଭିଭାବକମାନଙ୍କୁ ଆଶ୍ୱାସନା ଦେଇ କହିଛନ୍ତି, ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ଅଭିଭାବକମାନେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ଗତବର୍ଷ ବେଙ୍ଗାଲୁରୁର ୭ଟି ସ୍କୁଲକୁ ଏଭଳି ବୋମା ଧମକ ମିଳିଥିଲେ ହେଁ ଏହା ଗୁଜବ ବୋଲି ଜଣାପଡ଼ିଥିଲା।